ମୁମ୍ବାଇ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଟିମ୍ ଇଣ୍ଡିଆରେ ପ୍ରବେଶ କରିଛନ୍ତି । ଘରୋଇ କ୍ରିକେଟ୍ ଓ ଇଣ୍ଡିଆ-ଏ ପାଇଁ ଦମଦାର ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ସରଫରାଜଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳୁ ନଥିଲା । ଏବେ ତାଙ୍କର ଅପେକ୍ଷାର ଦିନ ଖତମ ହୋଇଛି ।
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ପାଇଁ ସରଫରାଜ ଖାନଙ୍କୁ ଟିମରେ ସାମିଲ କରାଯାଇଛି । ନିକଟରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ସେ ଅପରାଜିତ ୧୬୧ ରନ୍ କରିଥିଲେ । ସରଫରାଜଙ୍କ ସମେତ ୱାଶିଂଟନ ସୁନ୍ଦର ଓ ସୌରଭ କୁମାର ମଧ୍ୟ ଇଣ୍ଡିଆ ଟିମ୍ରେ ଯୋଗଦାନ କରିଛନ୍ତି ।
୨୬ ବର୍ଷୀୟ ସରଫରାଜଙ୍କ ପ୍ରଥମ ଶ୍ରେଣୀର କ୍ରିକେଟ୍ ରେକର୍ଡ ଭଲ ଅଛି । ୪୫ଟି ମ୍ୟାଚ୍ ରେ ୬୬ ପାଳି ବ୍ୟାଟିଂ ସୁଯୋଗ ପାଇ ସେ ୧୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ବଳରେ ୩୯୧୨ ରନ୍ କରି ପାରିଛନ୍ତି । ତାଙ୍କର ଧୂଅାଁଧାର ବ୍ୟାଟିଂର ପ୍ରମାଣ ହେଉଛି ଅପରାଜିତ ୩୦୧ ରନ୍ । ସରଫରାଜ ଏବେ ମୁମ୍ବାଇ କ୍ରିକେଟ୍ ଟିମ୍ ପାଇଁ ଖେଳୁଛନ୍ତି ।