ଟି-୨୦ ସିରିଜ କମ କରିବାକୁ ଶାସ୍ତ୍ରୀଙ୍କ ଅପିଲ୍
ଦେଖିବାକୁ ଗଲେ ଆଇସିସିର ୨୦୨୩-୨୦୨୭ ମଧ୍ୟରେ ଅଧିକ ଟି୨୦ ସିରିଜ ରହିଛି….
ମୁମ୍ବାଇ : ଟିମ ଇଣ୍ଡିଆର ପୂର୍ବତନ କୋଚ ରବୀ ଶାସ୍ତ୍ରୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଖେଳାଳିଙ୍କ ଉପରୁ ଲୋଡ କମାଇବାକୁ କିଛି ପରାମର୍ଶ ଦେଇଛନ୍ତି ଶାସ୍ତ୍ରୀ । ଖାସ କରି ଟି-୨୦ ସିରିଜ କମ କରିବାକୁ କହିଛନ୍ତି ଏହି ପୂର୍ବତନ କୋଚ । ଶାସ୍ତ୍ରୀ କହିଛନ୍ତି ଯେ, ବିଗତ କିଛି ଦିନ ହେଲା ଖେଳାଳିଙ୍କ ଉପରେ ବହୁତ ପ୍ରେସର ରହୁଛି । ତେଣୁ ଖେଳାଳିଙ୍କ ଉପରୁ ଲୋଡ କମାଇବାକୁ ହେଲେ ଆମକୁ ଟି-୨୦ ସିରିଜକୁ କମ କରିବାକୁ ପଡିବ । ଦେଖିବାକୁ ଗଲେ ଆଇସିସିର ୨୦୨୩-୨୦୨୭ ମଧ୍ୟରେ ଅଧିକ ଟି୨୦ ସିରିଜ ରହିଛି । ଏହି ସମୟ ମଧ୍ୟରେ ମୋଟ ୧୫ଟି ଟି-୨୦ ସିରିଜ ରହିଛି । ସେଥିମଧ୍ୟରୁ ୯ଟି ସିରିଜରେ ଟିମ ଇଣ୍ଡିଆ ଭାଗ ନେବ ।
ଶାସ୍ତ୍ରୀ ଆହୁରୀ କହିଛନ୍ତି ଯେ, ଟି-୨୦ ସିରିଜ ଅପେକ୍ଷା ଦିନିକିଆ ମ୍ୟାଚରେ ଅଧିକ ଧ୍ୟାନ ଦେବା ଉଚିତ । କେବଳ ପ୍ରାଞ୍ଚାଇଜ ଟି-୨୦ ଅଧିକ ଖେଳିବା ଉଚିତ । ତେଣୁ ଆଗାମୀ ଦିନରେ ବିଶ୍ୱକପ ଥିବାରୁ ଖେଳାଳିଙ୍କୁ ଅଧିକ ଦିନିକିଆ ମ୍ୟାଚ ଖେଳାଇବା ଉଚିତ୍ । ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆର କ୍ରିକେଟରୁ ଅବସର ନେଇଛନ୍ତି । ଅଧିକ ମ୍ୟାଚ ଖେଳୁଥିବାରୁ ଷ୍ଟୋକ୍ସ ଚାପରେ ରହୁଥିଲେ । ତେଣୁ ସେ ଅବସର ନେଇଛନ୍ତି ବୋଲି କହିଥିଲେ ବେନ ଷ୍ଟୋକ୍ସ ।