କୋରିଆ ଓପନ କ୍ୱାର୍ଟରରେ ସିନ୍ଧୁ ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ : କୋରିଆ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି । ତେବେ ଲକ୍ଷ୍ୟ ସେନା ଓ ମାଳବିକା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦୁଇଥରର ଅଲିମ୍ପିକ ପଦ ବିଜୟିନୀ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଜାପାନର ଆୟା ଓହୋରୀଙ୍କୁ ୨୧-୧୫, ୨୧-୧୦ ଗେମରେ ହରାଇ ଦେଇଛନ୍ତି ।

ସେହିପରି ଓହୋରୀଙ୍କ ବିପକ୍ଷରେ ସିନ୍ଧୁ ବର୍ତ୍ତମାନ ସୁଦ୍ଧା ଖେଳିଥିବା ସମସ୍ତ ୧୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ତୃତୀୟ ସିଡ ସିନ୍ଧୁ ଗତମାସର ସ୍ୱିସ ଓପନ ଫାଇନାଲରେ ହରାଇଥିବା ଥାଇଲାଣ୍ଡର ବୁସାନାନ ଓଙ୍ଗବମ ରୁଙ୍ଗଫାନଙ୍କୁ ପରବର୍ତ୍ତୀ ମ୍ୟାଚରେ ଭେଟିବେ । ସୂଚନାଯୋଗ୍ୟ ଯେ, ଚଳିତ ସିଜନରେ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଓ ସ୍ୱିସ ଓପନ ସୁପର ୩୦୦ ଟାଇଟଲ ଜିତିଥିବା ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ସିନ୍ଧୁ ବର୍ତ୍ତମାନ ୧୭ ମ୍ୟାଚ୍‌ ଖେଳିଥିବା ବେଳେ ୧୬ଟିରେ ବିଜୟୀ ହୋଇଛନ୍ତି । ବିଶ୍ୱ ଚାମ୍ପିଅନସିପ ରୌପ୍ୟ ପଦକ ବିଜେତା ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଇସ୍ରାଏଲର ମିଶା ଜିଲବର ମ୍ୟାନଙ୍କୁ ୨୧-୧୮, ୨୧-୬ରେ ହରାଇ ଦେଇଛନ୍ତି । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡା ରୌପ୍ୟ ବିଜେତା ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ଅନ୍ତିମ ଆଠରେ ସ୍ଥାନ ହାସଲ କରିଛନ୍ତି । ଭାରତୀୟ ଯୋଡି ୩୬ ମିନିଟର ମ୍ୟାଚରେ ସିଙ୍ଗାପୁରର ୟୋଙ୍ଗ କେଇ ଟେରୀ ଓ ଲୋହ କିନ ହିନଙ୍କୁ ଯୋଡିକୁ ୨୧-୧୫, ୨୧-୧୯ରେ ହରାଇ ଦେଇଛନ୍ତି । ତେବେ ଏମଆର ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଭାରତୀୟ ଯୋଡି ମହମ୍ମଦ ଅହସନ ଓ ହେନ୍ଦ୍ରା ସାତିୟାୱାନଙ୍କ ବିପକ୍ଷ ପ୍ରଥମ ଗେମରେ ୫-୮ରେ ପଛୁଆ ରହିବା ପରେ ମ୍ୟାଚରୁ ଓହରି ଯାଇଛନ୍ତି ।

ସେହିପରି ଦେଶର ଅନ୍ୟତମ ଉଦୀୟମାନ ସଟଲର୍‌ ମାଳବିକା ବନସୋଡ ମଧ୍ୟ ଆଗକୁ ବଢିବାରେ ବିଫଳ ହୋଇଛନ୍ତି । ଥାଇଲାଣ୍ଡର ପୋର୍ନପାୱି ଚୋଚୁୱଙ୍ଗ୍‌ ମହିଳା ସିଙ୍ଗଲ୍ସର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ତାଙ୍କୁ ୩୯ ମିନିଟ୍‌ ମଧ୍ୟରେ ୨୧-୮, ୨୧-୧୪ରେ ହରାଇ ଦେଇଛନ୍ତି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଞ୍ଚମ ସିଡ ଓଉ ସୁଆନ ୟି ଓ ହୁଆଙ୍ଗ ୟା କ୍ୱିଅଙ୍ଗଙ୍କ ଚୀନା ଯୋଡିଠାରୁ ୨୦-୨୨, ୨୧-୧୮, ୧୪-୨୧ରେ ସେମାନେ ପରାସ୍ତ ହୋଇଛନ୍ତି ।