ମଇଦାନରେ କ୍ରିକେଟିୟର ମହମ୍ମଦ ସିରାଜଙ୍କ ଲଢୁଆ ମନୋଭାବକୁ ଆପଣମାନେ ଦେଖିଛନ୍ତି । ମନରେ ଯୋଉ ଜୋସ୍ ଧରି ସେ ପଡ଼ିଆକୁ ଓହ୍ଲାନ୍ତି, ଶେଷ ପର୍ଯ୍ୟନ୍ତ ସେଇ ଜୋସକୁ ବଜାୟ ରଖିଥାନ୍ତି । ପଡ଼ିଆରେ ତାଙ୍କୁ କେହି ଥକ୍କା ମାରିବାର ଦେଖିନାହାନ୍ତି । ଏ ସବୁ ପାଇଁ ତାଙ୍କର ଫିଟ୍ନେସ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସିରାଜଙ୍କ ଫିଟ୍ନେସ ସଂପର୍କରେ ତାଙ୍କ ସାନଭାଇ ମହମ୍ମଦ ଇସ୍ମାଇଲ୍ କହିଛନ୍ତି, ଟିମ୍ ଇଣ୍ଡିଆ ପାଇଁ ସିରାଜ ତାଙ୍କର ପ୍ରିୟ ଖାଦ୍ୟକୁ ଦୂରେଇ ଦେଇଛନ୍ତି ।
ହାଇଦ୍ରାବାଦରେ ଥିଲାବେଳେ ସିରାଜ ବିରିୟାନୀ ପାଇଁ ପାଗଳପ୍ରାୟ ଥିଲେ । ଚା’ ସହିତ ବିରିୟାନୀ ଖାଉଥିଲେ । ମାତ୍ର କ୍ରିକେଟ୍ ଦୁନିଆରେ ଲମ୍ବା ସମୟ ଧରି ଖେଳିବା ପାଇଁ ଫିଟ୍ନେସ୍ ଜରୁରୀ । ଫିଟ୍ନେସ୍ ପାଇଁ ଖାଦ୍ୟପେୟ ପ୍ରତି ସତର୍କ ରହିବା ଜରୁରୀ । ଜଙ୍କଫୁଡ୍ ଖାଇଲେ, ଶରୀରରେ ପ୍ରଚୁର ପରିମାଣର ଚର୍ବି ଜମିବାର ଆଶଙ୍କା ରହିଛି । ସିରାଜଙ୍କୁ ପିଜା ଭାରି ପସନ୍ଦ । ମାତ୍ର କ୍ରିକେଟ୍ ପାଇଁ ତାଙ୍କୁ ପିଜା ଛାଡ଼ିବାକୁ ପଡ଼ିଲା ।
ଇଂଲଣ୍ଡ ବିପକ୍ଷରେ ସିରାଜ ସର୍ବାଧିକ ୱିକେଟ୍ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆ ପାଇଁ ୫ଟି ମ୍ୟାଚ୍ ଖେଳି ପ୍ରାୟ ୨୩ଟି ୱିକେଟ୍ ହାସଲ କରିଚନ୍ତି । ଦୁଇଥର ପାଂଚଟି ଲେଖାଁଏ ୱିକେଟ୍ ହାସଲ କରିଛନ୍ତି । ସିରାଜଙ୍କ ଦମ୍ଦାର ପ୍ରଦର୍ଶନ କାରଣରୁ ଭାରତ ୨-୨ ବ୍ୟବଧାନରେ ସିରିଜକୁ ଡ୍ର କରିବାକୁ ସକ୍ଷମ ହୋଇଥିଲା ।
ଓଭାଲ ମ୍ୟାଚ୍ରେ ହ୍ୟାରି ବ୍ରୁକଙ୍କ କ୍ୟାଚ୍କୁ ହାତଛଡ଼ା କରି ସିରାଜଙ୍କୁ ବହୁ ସମାଲୋଚନା ଶୁଣିବାକୁ ପଡ଼ିଥିଲା । ବ୍ରୁକ୍ ଶତାଧିକ ରନ୍ କରି ଇଂଲଣ୍ଡକୁ ବିଜୟର ଦ୍ୱାରଦେଶରେ ପହଂଚାଇ ଦେଇଥିଲେ । ମ୍ୟାଚ୍ ଅନ୍ତିମ ଚରଣରେ ସିରାଜ ଜବରଦସ୍ତ ବୋଲିଂ କରି ଟିମ୍ ଇଣ୍ଡିଆକୁ ୬ ରନ୍ରେ ରୋମାଂଚକ ବିଜୟୀ କରିଥିଲେ । ଶେଷ ଟେଷ୍ଟରେ ସିରାଜ ଦୁଇ ପାଳି ବୋଲିଂ କରି ପ୍ରାୟ ୯ଟି ୱିକେଟ୍ ଅକ୍ତିଆର କରିଥିଲେ ।