କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଟିମ ଭାରତ ବିପକ୍ଷରେ ଟି-୨୦ ସିରିଜ ଜିତିବାର ଗୋଟିଏ ଦିନ ପରେ ୩ ଖେଳାଳିଙ୍କ ଉପରେ ବଡ କାର୍ୟ୍ୟାନୁଷ୍ଠାନ ନେଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ୩ ଖେଳାଳିଙ୍କୁ ଏକ ବର୍ଷ ଯାଏ ବ୍ୟାନ କରିଛି । କୁଶଲ ମେଣ୍ଡିସ, ନିରୋଶନ ଡିକୱେଲା ଏବଂ ଧନୁଷ୍କା ଗୁଣତିଲକାଙ୍କୁ ଇଂଲଣ୍ଡରେ ବାୟୋ ବବଲ ନିୟମ ଉଲ୍ଲଂଘନ କରିବା ନେଇ ବୋର୍ଡ ସେମାନଙ୍କୁ ବର୍ଷେ ବାସନ୍ଦ କରିଛି । ଏହି ଖେଳାଳି ଏକ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ ନାହିଁ କି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିପାରିବେ ନାହିଁ । ସେମାନଙ୍କ ଉପରେ ୧୦ ମିଲିୟନ ଶ୍ରିଲଙ୍କାନ ଟଙ୍କା (ଭାରତୀୟ ମୂଦ୍ରାରେ ୩୮ ଲକ୍ଷ ଟଙ୍କା) ଜରିମାନା ଲଗାଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।
କୁଶଲ ମେଣ୍ଡିସ, ନିରୋଶନ ଡିକୱେଲା ଓ ଗୁଣତିଲକା ବାୟୋ ବବଲ ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ବୋର୍ଡ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନେ ବାୟୋ ବବଲ୍ ନିୟମ ଉଲ୍ଲଂଘନ କରିଥିବା ନେଇ ଅନେକ ଖେଳ ପ୍ରେମୀ ଫଟୋ-ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଜଣାପଡ଼ିଥିଲା । ଏହା ପରେ ୩ ଖେଳାଳିଙ୍କୁ ତୁରନ୍ତ ଶ୍ରଲଙ୍କା ଡକାଯାଇଥିଲା । ଏହା ବ୍ୟତୀତ ସେମାନଙ୍କୁ ଭାରତ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବାକୁ ଅନୁମତି ମିଳିନଥିଲା । ଏପରିକି ୩ ବରିଷ୍ଠ ଖେଳାଳି ଟି-୨୦ ୱାର୍ଲଡ କପରୁ ବାହାର ହୋଇଛନ୍ତି ।