ନୂଆଦିଲ୍ଲୀ: ଏମିତି କଣ ପରିସ୍ଥିିତି ହେଲା ଯେ ଆଇପିଏଲ୍ ଖେଳିବାକୁ ୟୁଏଇ ଯାଇଥିବା ସୁରେଶ ରୈନା ଭାରତ ଫେରିଆସିଲେ? ଭାରତର ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ତାଙ୍କ ପୀଉସାଙ୍କୁ ହତ୍ୟା କରାଯାଇଥିବାର ଛାତିଥରା ଖବର ସାମ୍ନାକୁ ଆସିଥିଲା। ଏନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରୈନା।
ରୈନା ଟ୍ୱିଟରରେ ଲେଖିଛନ୍ତି, ‘ପଞ୍ଜାବରେ ମୋ ପରିବାର ସହ ଯାହା ହେଲା ତାହା ଭୟଙ୍କର ଠାରୁ ଆହୁରି ଶୀର୍ଷରେ। ମୋ ପୀଉସାଙ୍କୁ ହତ୍ୟା କରାଗଲା। ମୋ ପୀଉସୀଙ୍କ ସହ ଦୁଇ ଭାଇ ମଧ୍ୟ ଭୟଙ୍କର ଭାବେ କ୍ଷତାକ୍ତ ହୋଇଛନ୍ତି। ଦୁର୍ଭାଗ୍ୟବଶତଃ ଜୀବନ ସହ ସଂଗ୍ରାମ କରି ମୋର ଜଣେ ଭାଇ ଗତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୋ ପୀଉସୀଙ୍କ ଅବସ୍ଥା ଏବେ ବି ସାଙ୍ଘାତିକ ଏବଂ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯଆଇଛି’।
ସେଦିନ ରାତିରେ ବାସ୍ତବରେ କଣ ଘଟିଲା ଏବଂ କିଏ ଏପରି କଲା ଏ ପର୍ଯ୍ୟନ୍ତ ଆମେ ଜାଣିନାହୁଁ ବୋଲି ରୈନା ଲେଖିଛନ୍ତି। ସେ ଏହି ଘଟଣାର ତଦନ୍ତ ପାଇଁ ପଞ୍ଜାବ ପୋଲିସକୁ ଅନୁରୋଧ କରିଛନ୍ତି। ଏପରି ଭୟାନକ କାରନାମା କିଏ କରିଛି ତାହା ଆମର ଜାଣିବା ଦରକାର। ଆହୁରି ଏହିପରି ଅପରାଧ କରିବାକୁ ଦୋଷୀଙ୍କୁ ଛାଡ଼ି ନଦିଆଯାଉ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ତାଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ଏଭଳି ଲେଖିଛନ୍ତି ରୈନା।
ଗତକାଲି ହୋଟେଲ୍ ରୁମ ବିବାଦରୁ ସେ ରାଗିକରି ଭାରତ ଫେରିଆସିଥିବାର ଖବର ଚର୍ଚ୍ଚା ସୃଷ୍ଟି କରିଥିଲା। ସିଏସକେ ମାଲିକ ଏନ୍ ଶ୍ରୀନିବାସନ ଏ ବାବଦରେ ଆଉଟଲୁକକୁ ନିଜର ବିବୃତି ପ୍ରଦାନ କରିଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।