ଟି-୨୦ ବିଶ୍ୱକପ୍‌ : ୨୩ରେ ଭାରତ-ପାକିସ୍ତାନ ମୁକାବିଲା

ଟିମ୍‌ ଇଣ୍ଡିଆର ବିରାଟ ଓ ପାକ୍‌ ଅଧିନାୟକ ବାବର ମୁହାଁମୁହିଁ….

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପହଂଚି ଟିମ୍‌ ଇଣ୍ଡିଆ ତା’ର ଚମକ ଦେଖାଇଛି । ଭାରତ ପ୍ରଥମ ମ୍ୟାଚରେ ଘରୋଇ ଟିମ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆସନ୍ତା ୨୩ ତାରିଖ ଦିନ ମେଲବର୍ଣ୍ଣରେ ପାକିସ୍ତାନକୁ ସାମ୍ନା କରିବ । ଦୀପାବଳି ପୂର୍ବଦିନ ଭାରତ-ପାକିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବାର ଥିଲେ ମଧ୍ୟ ମଙ୍ଗଳବାର ଉଭୟ ଟିମ୍‌ ଗାବା ମଇଦାନରେ ପରସ୍ପର ଖେଳାଳିଙ୍କର ଦକ୍ଷତା ଆକଳନ କରିଛନ୍ତି । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମ୍ୟାଚରେ ଭାରତ ବିଜୟ ଲାଭ କରିଥିଲା ବେଳେ ଇଂଲଣ୍ଡ ନିକଟରୁ ପାକିସ୍ତାନ ହାରିଯାଇଛି ।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ବାବର ଆଜମ ମିଳିତ ଭାବେ ଅଭ୍ୟାସ କରୁଥିବାର ଦେଖି ବହୁ କ୍ରିକେଟ୍‌ପ୍ରେମୀ ଆଚମ୍ବିତ ହୋଇଛନ୍ତି । ଯଦ୍ୟପି ବିରାଟ କୋହଲି ସୌହାର୍ଦ୍ଦ୍ୟପୂର୍ଣ୍ଣ ମ୍ୟାଚରେ ସେଭଳି ଧମାକା ପ୍ରଦର୍ଶନ କରି ନଥିଲେ । ବିରାଟ ୧୩ଟି ବଲରୁ ୧୯ ରନ୍‌ ସାଉଁଟିଥିଲେ । ନିଜ ପ୍ରଦର୍ଶନରେ ଅସନ୍ତୁଷ୍ଟ ବିରାଟ ମ୍ୟାଚ୍‌ ପରେ ସନ୍ଧ୍ୟାରେ ନେଟ୍‌ ପ୍ରାକ୍ଟିସ୍‌ କରୁଥିଲେ । ଟିମ୍‌ ଇଣ୍ଡିଆର ଅଭ୍ୟାସ କରିବାର କୌଣସି ଯୋଜନା ନଥିଲା । ମାତ୍ର ବିରାଟ କୋହଲି ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋରଙ୍କୁ ଧରି ମଇଦାନରେ ପହଂଚିଗଲେ । ସେହି ସମୟରେ ପାକିସ୍ତାନ ଓ ଇଂଲଣ୍ଡ ଟିମ ନେଟ୍‌ ପ୍ରାକ୍ଟିସ୍‌ କରୁଥିଲେ ।

ବିରାଟ ଗୋଟିଏ ଖାଲି ନେଟ୍‌ସରେ ଜମାଣିଆ ପ୍ରାକ୍ଟିସ୍‌ କଲେ । ଆଉ ଗୋଟିଏ ନେଟ୍ସରେ ପାକ୍‌ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ଅଭ୍ୟାସ କରୁଥିଲେ । ଆଉ ଗୋଟିଏ ପାଖରେ ଇଂଲଣ୍ଡ ଖେଳାଳି ଅଭ୍ୟାସ କରୁଥିଲେ । କୋହଲି ପ୍ରାୟ ୪୦ ମିନିଟ୍‌ ଧରି ଅଭ୍ୟାସ କରିଥିଲେ । ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ବିରାଟ କୋହଲି, ବାବର ଆଜମ ଓ ମହମ୍ମଦ ରିଜୱାନ ମିଳିତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।

ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ : ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପଂତ (ୱିକେଟ୍‌ ରକ୍ଷକ), ଦିନେଶ କାର୍ତିକ (ୱିକେଟ୍‌ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ୱିନ, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ଶାମି । ଷ୍ଟାଣ୍ଡବାୟ ଖେଳାଳି: ଶ୍ରେୟସ ଆୟାର, ରବି ବିଷ୍ଣୋୟୀ, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର ।

ପାକିସ୍ତାନ ଟିମ୍‌: ବାବର ଆଜମ (ଅଧିନାୟକ), ଶାଦାବ ଖାନ, ଆସିଫ୍‌ ଅଲୀ, ହୈଦର ଅଲୀ, ହାରିସ ରୌଫ୍‌, ଇଫ୍‌ତିଖାର ଅହମଦ, ଖୁଶଦିଲ ଶାହ, ମହମ୍ମଦ ହସନୈନ୍‌, ମହମ୍ମଦ ନବାଜ, ମହମ୍ମଦ ରିଜୱାନ୍‌, ମହମ୍ମଦ ୱାସିମ୍‌ ଜୁନିୟର, ନସିମ ଶାହ, ଶାହିନ ଶାହ ଆଫ୍ରିଦି, ଶାନ ମସୁଦ, ଫଖର ଜମାନ୍‌ ।
ରିଜର୍ଭ: ମହମ୍ମଦ ହାରିସ୍‌, ଉସମାନ୍‌ କାଦିର ଖାନ୍‌, ଶାହାନବାଜ ଦହାନୀ ।