ଟି-୨୦ ବିଶ୍ୱକପ୍‌: ଭାରତକୁ ଅପେକ୍ଷା କରିଛି ପାକିସ୍ତାନ

ଏବେ ଭାରତକୁ ଫାଇନାଲରେ ପ୍ରବେଶ କରିବାକୁ ପଡ଼ିବ…..

ନୂଆଦିଲ୍ଲୀ : ଫାଇନାଲରେ ପହଂଚିବା ପରେ ଭାରତକୁ ଅପେକ୍ଷା କରିଛି ପାକିସ୍ତାନ । ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଫାଇନାଲରେ ହରାଇ ୨୦୦୭ ପରାଜୟର ପ୍ରତିଶୋଧ ନେବାକୁ ପାକିସ୍ତାନ ତୟାର ରହିଛି । ଗୁରୁବାର ସେମି ଫାଇନାଲରେ ଭାରତ ଇଂଲଣ୍ଡକୁ ପରାଜିତ କରିବା ପରେ ଫାଇନାଲକୁ ଯିବ । ଭାରତ-ପାକିସ୍ତାନ ଫାଇନାଲରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଇଂଲଣ୍ଡ ସଂକଳ୍ପବଦ୍ଧ । ସଂକ୍ଷେପରେ କହିଲେ ଭାରତ-ଇଂଲଣ୍ଡ ସେମି ଫାଇନାଲ ଏକ ସଂଘର୍ଷପୂର୍ଣ୍ଣ ରହିବ ।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଭାଗ୍ୟ ଏବେ ଖରାପ ଚାଲିଛି । ବିଗତ ପାଂଚଟି ମ୍ୟାଚରୁ ସେ ବ୍ୟକ୍ତିଗତ ଭାବେ ମାତ୍ର ୮୯ ରନ୍‌ ସଂଗ୍ରହ କରିପାରିଛନ୍ତି । ହାର୍ଦ୍ଦିକ୍‌ ପାଣ୍ଡ୍ୟା, କେଏଲ୍‌ ରାହୁଲଙ୍କ ଭଳି ଖେଳାଳିଙ୍କ ଫର୍ମ ଟଳମଳ । ତେବେ ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଅଛନ୍ତି । ବିପକ୍ଷ ବୋଲରଙ୍କ ପ୍ରତ୍ୟେକଟି ବଲକୁ ସୁନ୍ଦର ଭାବେ ପିଟୁଛନ୍ତି କୋହଲି ଓ ସୂର୍ଯ୍ୟ କୁମାର ।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଇଂଲଣ୍ଡର ଦ୍ରୁତ ବୋଲରଙ୍କଠାରୁ ସାବଧାନ ରହିବାକୁ ପଡ଼ିବ । କ୍ରିସ ବୁବ୍ସ, ସାମ କୁରେନ ଭଳି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇ ଦେଇପାରିବେ । ଜୋସ୍‌ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟିମ ଭାରତର ଅଭିଜ୍ଞ ଖେଳାଳିଙ୍କୁ ଆଗ ପଡ଼ିଆ ବାହାରକୁ ପଠାଇବା ପାଇଁ ଚେଷ୍ଟା କରିବ । ଜୋସ୍‌ ବଟଲର ଓ ଆଲେକ୍ସ ହେଲ୍ସଙ୍କ ଭଳି ଟାଣୁଆ ଖେଳାଳିଙ୍କୁ ତୁରନ୍ତ ଆଉଟ୍‌ କରିବା ଟିମ ଇଣ୍ଡିଆ ପକ୍ଷେ ଲାଭଦାୟକ ରହିବ ।

ବୁଧବାର ସିଡ୍‌ନୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଏବେ ଭାରତକୁ ଫାଇନାଲରେ ପ୍ରବେଶ କରିବାକୁ ପଡ଼ିବ । ୨୦୦୭ରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ରନ୍‌ ବ୍ୟବଧାନରେ ପରାଜିତ କରିଥିଲା । ସେତେବେଳେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ଥିଲେ ମହେନ୍ଦ୍ର ସିଂ ଧୋନୀ ।