ଧର୍ମଶାଳା : ଚଳିତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶନିବାର ଏଠାରେ ଖେଳାଯିବ । ଲକ୍ଷ୍ନୌରେ ଖେଳାଯାଇଥିôବା ପ୍ରଥମ ମ୍ୟାଚ୍କୁ ବେଶ୍ ସହଜରେ ଜିତିନେଇଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ମୁକାବିଲାକୁ ଜିତି କ୍ରମାଗତ ଏକାଦଶ ବିଜୟ ପାଇଁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ସିରିଜ୍କୁ ବଞ୍ଚାଇବା ସକାଶେ ଶ୍ରୀଲଙ୍କା ପାଇଁ ଏହା “କର ବା ମର’ ମ୍ୟାଚ୍ । ୨୦୦୯ ପରଠାରୁ ଅଦ୍ୟାବଧି ଭାରତରେ ୪ଟି ଟି-୨୦ ସିରିଜ୍ ଖେଳିଥିଲେ ମଧ୍ୟ ୧-୧ରେ ଡ୍ର’ ଶ୍ରୀଲଙ୍କା ଦଳର ସବୁଠାରୁ ବଡ଼ ସଫଳତା । ଗତ ଟି-୨୦ ବିଶ୍ୱକପ୍ରୁ ସଅଳ ବିଦାୟ ନେଇଥିବା ଟିମ୍ ଇଣ୍ଡିଆ ଇତିମଧ୍ୟରେ ଆଗାମୀ ସଂସ୍କରଣ ସକାଶେ ଜବରଦସ୍ତ ପ୍ରସ୍ତୁତ ଦିଗରେ ଆଗେଇ ଚାଲିଛି । ଦଳରେ ଯୁବ ଖେଳାଳିମାନେ ସାମିଲ୍ ହୋଇ ସେମାନଙ୍କ ଦକ୍ଷତାନୁସାରେ ପ୍ରଦର୍ଶନ କରିଆସିଥିବାରୁ ଦଳ ଗତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍ କ୍ଲିନ୍ସୁଇପ୍ କରିଥିଲା । ଏହାଛଡ଼ା ଶ୍ରୀଲଙ୍କାକୁ ମଧ୍ୟ ପ୍ରଥମ ମୁକାବିଲାରେ ୬୨ ରନ୍ରେ ପରାସ୍ତ କରିପାରିଛି । ଏହି ମ୍ୟାଚ୍ରେ ଓପନର ଈଶାନ୍ କିଶନ୍ ଲୟକୁ ଫେରିଥିଲେ ।
ଗତ ଇଣ୍ଡିଜ୍ ବିପକ୍ଷ ସିରିଜ୍ରେ ଅପେକ୍ଷାକୃତ ମନ୍ଥର ପ୍ରଦର୍ଶନ କରିଥିବା କିଶନ୍ ଶ୍ରୀଲଙ୍କା ବୋଲରଙ୍କ ଧୁଲେଇ କରି ୮୯ ରନ୍ର ଜବରଦସ୍ତ ଇନିଂସ ଖେଳିଥିଲେ । ଶନିବାର ମ୍ୟାଚ୍ ସକାଶେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ଆହତ ଋତୁରାଜ ଗାଏକ୍ୱାଡ୍ ଫେରିପାରନ୍ତି । ଏପରି ହେଲେ ଅଧିନାୟକ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରି କିଶନ୍ ଓ ଋତୁରାଜଙ୍କୁ ଓପନ୍ ଦାୟିତ୍ୱ ଦେବେ । ସେହିପରି ଗତ ମ୍ୟାଚ୍ରେ ଶ୍ରେୟସ୍ ଆୟରଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ଥିଲା । ସେ ଅଭିଜ୍ଞ ବିରାଟ କୋହଲିଙ୍କ ଅନୁପସ୍ଥିତି ଅନୁଭୂତ ହେବାକୁ ଦେଇନାହାନ୍ତି । ବିଶ୍ୱକପ୍ ସକାଶେ ଦଳ ଅଲ୍ରାଉଣ୍ଡରଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଶ୍ରେୟସ୍ଙ୍କୁ ଅଧିକାଂଶ ମ୍ୟାଚ୍ରେ ସୁଯୋଗ ମିଳିପାରିନାହିଁ । ତେଣୁ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କୁ ମିଳିଥିବା ସୁଯୋଗର ଫାଇଦା ଶ୍ରେୟସ୍ ନେବା ଉଚିତ । ବ୍ୟାଟିଂ ସହ ଘରୋଇ ଦଳର ବୋଲିଂ ମଧ୍ୟ ବେଶ୍ ପ୍ରଭାବଶାଳୀ ରହିଛି । ଗତ ମ୍ୟାଚ୍ରେ ଦଳର ୭ ଜଣ ବୋଲର୍ ନିୟୋଜିତ ରହିଥିବା ବେଳେ ଦୀପକ ହୁଡ୍ଡା ଓ ଭେଙ୍କଟେଶ ଆୟର୍ ପ୍ରଭାବିତ କରିଛନ୍ତି । ଅନ୍ୟପକ୍ଷରେ ସିରିଜ୍କୁ ଫେରିବାକୁ ହେଲେ ଭ୍ରମଣକାରୀ ଶ୍ରୀଲଙ୍କାକୁ କିଛି ସ୍ୱତନ୍ତ୍ର କରି ଦେଖାଇବାକୁ ପଡ଼ିବ । ପ୍ରମୁଖ ସ୍ପିନର୍ ମହୀଶ ତିକ୍ସାନା ଓ ୱାନିନ୍ଦୁ ହସରଙ୍ଗାଙ୍କ ଅନୁପସ୍ଥିତିରେ ଦଳର ବୋଲରମାନେ ନିରାଶ କରିଛନ୍ତି । ଏପରିକି ଅଧିନାୟକ ଦାସୁନ୍ ଶନାକାଙ୍କ ବୋଲିଂ ମଧ୍ୟ ବିଶେଷ ପ୍ରଭାବିତ କରିପାରିନାହିଁ । ଚରିତ ଅସଲଙ୍କାଙ୍କୁ ବାଦ୍ ଦେଲେ ଦଳର ଶୀର୍ଷ ବ୍ୟାଟିଂ କ୍ରମକୁ ବି ନିଜର ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆଣିବାକୁ ହେବ । ନଚେତ୍ ଏହି ଟିମ୍ ପୁଣିଥରେ ଭାରତରେ ଏକ ଟି-୨୦ ସିରିଜ୍ ହାରିବା ଥୟ ବୋଲି ଧରିନେବାକୁ ହେବ । ଲକ୍ଷ୍ନୌ ତୁଳନ।।ରେ ଧର୍ମଶାଳାରେ ମ୍ୟାଚ୍ ବେଳେ ପାଗ ଅଧିକ ଥଣ୍ଡା ରହିବ । ଦୁଇ ଟିମ୍ ଶୁକ୍ରବାର ଏଠାରେ ପହଞ୍ଚିଥିବାରୁ ସେମାନଙ୍କୁ ପରିବେଶ ସହ ଖାପ ଖୁଆଇବା ସକାଶେ ଅଧିକ ସମୟ ମଧ୍ୟ ମିଳିପାରିନାହିଁ । ତା’ଛଡ଼ା ମ୍ୟାଚ୍ରେ ବର୍ଷା ମଧ୍ୟ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।