ବେଙ୍ଗାଲୁରୁ : ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାକୁ ୨୩୮ରନରେ ହରାଇଛି ଭାରତୀୟ ଦଳ । ଫଳରେ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ଶତକ ପରେ ବି ପରାଜିତ ହୋଇଛି ଦଳ । ଭାରତୀୟ ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶ୍ରେୟସ ଆୟରଙ୍କ ୯୨ରନ ବଳରେ ଦଳ ୨୫୨ରନରେ ଅଲଆଉଟ ହୋଇଥିଲା । ଜବାବରେ ଶ୍ରୀଲଙ୍କା ୧୦୯ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୪୬, ପନ୍ତ ୫୦, ଆୟର ୬୭ ରନର ଇନିଂସ ଖେଳିବାକୁ ସକ୍ଷମ ହୋଇଥିଲେ । ଫଳରେ ଶ୍ରୀଲଙ୍କାକୁ ୪୪୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା ।
ଅନ୍ୟପକ୍ଷରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆରମ୍ଭରୁ ୱିକେଟ ପତନ ଘଟିଥିଲା । କିନ୍ତୁ ଅଧିନାୟକ କରୁଣାରତ୍ନେଙ୍କ ଲଢୁଆ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ସେହିଭଳି ମେଣ୍ଡିସ ୫୪ରନ କରି ଆଉଟ ହେବା ସହ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଅନ୍ୟପକ୍ଷରେ ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବୁମରା ୩ଟି ୱିକେଟ ନେଇଥିବା ବେଳେ, ଅଶ୍ୱିନ ୪ଟି, ଜାଡେଜା ଗୋଟିଏ ଏବଂ ଅକ୍ଷର ପଟେଲ ୨ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ ।