ନୂଆଦିଲ୍ଲୀ : ଆସନ୍ତା ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦୁଇ ମାସ ନୁହେଁ ଅଢେଇ ମାସ ଧରି ଚାଲିବ । ଏଥିପାଇଁ ଆଇସିସି ନିଜର ଫ୍ୟୁଚର ଟୁର ପ୍ରୋଗ୍ରାମରେ ମଧ୍ୟ ଆଇପିଏଲ ପାଇଁ ଅଢେଇ ମାସର ୱିଣ୍ଡୋ ପ୍ରସ୍ତୁତ କରିଛି । ରିପୋର୍ଟ ଅନୁଯାୟୀ, ଆଇସିସି ଆଇପିଏଲ ପାଇଁ ପ୍ରତି ବର୍ଷ ଅଢେଇ ମାସର ସମୟ ମାର୍ଚ୍ଚର ଶେଷ ସପ୍ତାହରୁ ଜୁନର ପ୍ରଥମ ସପ୍ତାହ ଯାଏଁ ଦେଇଛି । ରିପୋର୍ଟ ଅନୁଯାୟୀ, ଆଇସିସିର ୨୦୨୩- ୨୦୨୭ ଏଫଟିପିରେ ଦୁଇଟି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ, ଆଇସିସି ଟି-୨୦ ଏବଂ ଦିନିକିଆ ବିଶ୍ୱକପ ବ୍ୟତୀତ ବାକି ଦେଶର ସିରିଜ ସାମିଲ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିବାରୁ ଖେଳାଳିଙ୍କୁ ବହୁତ କମ ସମୟ ବିଶ୍ରାମ ମିଳିବ ।
ଏହା ପୂର୍ବରୁ ବିସିସିଆଇର ସଂପାଦକ ଜୟ ଶାହ ମଧ୍ୟ ପୂର୍ବରୁ କହିଥିଲେ ଯେ, ଏବେ ଆଇପିଏଲ ପାଇଁ ଅଢେଇ ମାସର ସମୟ ଦିଆଯିବା ଉଚିତ । ଆଇସିସି ନିଜର ପରବର୍ତ୍ତୀ କାର୍ଯ୍ୟସୂଚୀରେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ବାଂଲାଦେଶ ପରି ସମସ୍ତ ଦେଶକୁ ମଧ୍ୟ ଆଶ୍ୱସ୍ତି ଦେଇଛନ୍ତି । ଯେଉଁ ସମୟରେ ପାକିସ୍ତାନ ପିଏସଏଲ, ଅଷ୍ଟ୍ରେଲିଆରେ ବିବିଏଲ, ବାଂଲାଦେଶ ବିପିଏଲ, କାରବିୟାନ ପ୍ରିମିୟର ଲିଗ (ସିପିଏଲ) ଏବଂ ଇଂଲଣ୍ଡରେ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ସେହି ସମୟରେ ଏହି ଦେଶଗୁଡିକ ସହିତ କୌଣସି ଅନ୍ତର୍ଜାତୀୟ ସିରିଜ ଖେଳାଯିବ ନାହିଁ । ଏହି ପରି ସମସ୍ତ ଦେଶକୁ ନିଜର ଘରୋଇ ସିରିଜ ଖେଳିବାକୁ ସୁଯୋଗ ଦିଆଯାଇଛି । ହେଲେ ଏହି ସମୟରେ ଅନ୍ତର୍ଜାତୀୟ କ୍ରିକେଟ ଅଟକିବ ନାହିଁ । ବାକି ଦେଶ ନିଜ ନିଜର ଅନ୍ତର୍ଜାତୀୟ ସିରିଜ୍ । ଖେଳିବେ । କିନ୍ତୁ ଆଇସିସି ନିଜର ଭବିଷ୍ୟତର କାର୍ଯ୍ୟସୂଚୀରେ ଆଇପିଏଲ ପ୍ରତି ଗୁରୁତ୍ୱାରୋପ କରିଛି ।