Tri-series cricket: ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜରୁ ହଟିଲା ଆଫଗାନିସ୍ତାନ, ଜିମ୍ବାୱେକୁ ଡକରା
Tri-series cricket: ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜରୁ ହଟିଲା ଆଫଗାନିସ୍ତାନ, ଜିମ୍ବାୱେକୁ ଡକରା
ଆଫଗାନିସ୍ତାନ ଉପରେ ଆକାଶ ମାର୍ଗରୁ ହମଲା କଲା ପାକିସ୍ତାନ । ଉକ୍ତ ହମଲାରେ ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ଅନ୍ତର୍ଗତ ତିନିଜଣ ଖେଳାଳିଙ୍କ ସମେତ ୮ ଜଣ ପ୍ରାଣ ହରାଇଲେ ଓ ୭ ଜଣ ଲୋକ ଖଣ୍ଡିଆଖାବରା ହେଲେ ।
ତିନିଜଣ ଖେଳାଳି ଶରାନାରେ ଅନୁଷ୍ଠିତ ଏକ ମ୍ୟାଚ୍ ଖେଳି ସାରିବା ପରେ ଘରକୁ ଫେରୁଥିବା ବାଟରେ ପାକିସ୍ତାନ ମିସାଇଲ ହାବୁଡ଼ରେ ପଡ଼ିଗଲେ । ପାକିସ୍ତାନର ଅତର୍କିତ ଆକ୍ରମଣକୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତୀବ୍ର ସମାଲୋଚନା କରିଛି ।
ତା’ ସହିତ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଆଫଗାନିସ୍ତାନ ଟିମ୍ ହଟିଯାଇଛି । ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ନଭେମ୍ବର ୧୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ତ୍ରିରାଷ୍ଟ୍ରୀୟ ସିରିଜ ଯୋଜନା ଥିଲା ।
ରାଓଲପିଣ୍ଡି ଓ ଲାହୋର ମଇଦାନରେ ସିରିଜ ମ୍ୟାଚ୍ ଖେଳାଯିବ ।
ଆଫଗାନିସ୍ତାନ ହଟିଯିବା ପରେ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିର୍ଦ୍ଧାରିତ ସମୟରେ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ଅନୁଷ୍ଠିତ ହେବ ।
ଆଫଗାନିସ୍ତାନ ସ୍ଥାନରେ ଅନ୍ୟ କୌଣସି ଏକ ଦେଶକୁ ସାମିଲ କରିବା ପାଇଁ ପିସିବି ଉଦ୍ୟମ କରୁଛି ।
ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସଫା ସଫା ଜଣାଇ ଦେଇଛି ଯେ ତା’ର କୌଣସି ଖେଳାଳିଙ୍କୁ ପାକିସ୍ତାନକୁ ପଠାଇବା ସମ୍ଭବ ନୁହେଁ । ପାକିସ୍ତାନର ବର୍ବର ଆକ୍ରମଣ ଆଫଗାନିସ୍ତାନ କ୍ରିକେଟ୍ ଦୁନିଆକୁ ଦୋହଲାଇ ଦେଇଛି ।
ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ଟେଷ୍ଟ ମାନ୍ୟତା ପାଇବା ପରଠାରୁ ପାକିସ୍ତାନ ସହିତ ଖେଳିନାହିଁ ।
ତେବେ ଆଫଗାନିସ୍ତାନ ‘ଏ’ ଟିମ୍ ପାକିସ୍ତାନ ଯାଉଥିଲା ଓ ଖେଳୁଥିଲା । ଆଫଗାନିସ୍ତାନର ଅଧିକାଂଶ ଖେଳାଳି ପାକିସ୍ତାନ ଯାଇ ତାଲିମ ପାଉଥିଲେ ।