ସର୍ବାଧିକ ଦ୍ୱିତୀୟ ଭାରତୀୟ କ୍ରିକେଟର ବିରାଟ କୋହଲି

ଏସିଆ କପ ସୁପର-୪ ମୁକାବିଲାରେ ପାକିସ୍ତାନକୁ ୩୫୭ ରନ୍‌ ଟାର୍ଗେଟ୍‌ ଦେଇଛି ଭାରତ । ଭାରତ ୫୦ ଓଭରରେ ଦୁଇ ୱିକେଟ୍‌ ହରାଇ ୩୫୬ ରନ୍‌ କରିଛି । ଜବାବରେ ପାକିସ୍ତାନ ୫ ଓଭରରେ ୧୭ ରନ୍‌ କରିପାରିଛି । ମଇଦାନରେ ଓପନର ଫଖର ଜମାନ ଓ ବାବର ଆଜମ ଅଛନ୍ତି । ଇମାମ-ଉଲ-ହକ୍‌ ମାତ୍ର ୯ ରନ୍‌ କରି ଜସପ୍ରୀତ ବୁମରାହଙ୍କ ଶିକାର ହୋଇଥିଲେ ।

ପଂଚମ ଓଭରର ଦ୍ୱିତୀୟ ବଲକୁ ସଟ୍‌ ମାରିବାକୁ ଯାଇ ଶୁଭମନ ଗିଲଙ୍କ ହାତରେ ଧରା ପଡ଼ିଯାଇଥିଲେ ଇମାମ । ସୂଚନା ମୁତାବକ ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୪୭ତମ ଶତକ ହାସଲ କରିଛନ୍ତି । କୋହଲି ୯୪ ବଲରୁ ୧୨୨ ରନ୍‌ ସାଉଁଟିଥିଲେ । କେଏଲ୍‌ ରାହୁଲ ତାଙ୍କ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିଲେ । ସେ ୧୦୬ଟି ବଲକୁ ସାମ୍ନା କରି ବ୍ୟକ୍ତିଗତ ଭାବେ ୧୧୧ ରନ୍‌ କରିଥିଲେ । ଉଭୟେ ୨୩୩ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ ।

ଭାରତ ପାକିସ୍ତାନ ବିପକ୍ଷରେ ବଡ଼ ସ୍କୋର କରିବା ଆଉ ଏକ ସଫଳତା । ଏହା ପୂର୍ବରୁ ୨୦୦୫ରେ ଟିମ୍‌ ଇଣ୍ଡିଆ ବିଶାଖାପଟନମରେ ପାକିସ୍ତାନକୁ ୩୫୬ ରନ୍‌ ଟାର୍ଗେଟ୍‌ ଦେଇଥିଲା । ଏହା ପୂର୍ବରୁ ଏସିଆ କପ୍‌ରେ ଭାରତ କେବେ ପାକିସ୍ତାନ ବିପକ୍ଷରେ ଏତେ ସ୍କୋର କରି ନଥିଲା ।

ଏହା ପୂର୍ବରୁ ୨୦୧୨ରେ ମୀରପୁର ମଇଦାନରେ ଭାରତ ୩୩୦ ରନ୍‌ କରିଥିଲା । ସେହି ମ୍ୟାଚରେ କୋହଲି ବ୍ୟକ୍ତିଗତ ଭାବେ ୧୮୩ ରନ୍‌ କରିଥିଲେ । କୋହଲି ତାଙ୍କର ଦିନିକିଆ କ୍ୟାରିୟରରେ ୧୩ ହଜାର ରନ୍‌ ଅତିକ୍ରମ କରିଛନ୍ତି । ଏବେ କୋହଲି ହେଉଛନ୍ତି ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ଦ୍ୱିତୀୟ ଭାରତୀୟ । ଦିନିକିଆ କ୍ୟାରିୟରରେ ସଚିନ ତେନ୍ଦୁଲକର ସର୍ବାଧିକ ୧୮୪୨୬ ରନ୍‌ କରିଛନ୍ତି ।