ଦରକାର ବେଳେ ରହୁନାହାନ୍ତି ବିରାଟ-ରୋହିତ-ରାହୁଲ

ଯଦି କେବଳ ଷ୍ଟ୍ରାଇକର ରୋଲ ନିଭାଇବାକୁ ହୁଏ ତେବେ ଆଙ୍କର ରୋଲ ହିଁ ଠିକ…

ନୂଆଦିଲ୍ଲୀ : ଚଳିତ ଆଇପିଏଲ-୨୦୨୨ରେ ସ୍କୋର କରିବାକୁ ସଙ୍ଘର୍ଷ କରୁଥିଲେ ବିରାଟ କୋହଲି ଓ ରୋହିତ ଶର୍ମା । ବିରାଟଙ୍କ ବ୍ୟାଟରୁ ଗତ ୩ ବର୍ଷ ହେଲା ଗୋଟିଏ ହେଲେ ଶତକ ବାହାରି ନାହିଁ । ରୋହିତ ବି ଆଖିଦୃଶିଆ ପାଳି ଖେଳିପାରୁ ନାହାଁନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ କ୍ରିକେଟର କପିଲ ଦେବ । ଏହାସହ ସେ ଉଭୟଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ରୋହିତ-ବିରାଟ ଓ କେଏଲ ରାହୁଲଙ୍କ ଉଭରେ ଓପନିଂ ଭାର ନିର୍ଭର କରେ । ତିନି ଜଣ ଚାପରେ ଅଛନ୍ତି । ସମସ୍ତେ ବିନା ଡରରେ ଖେଳିବା ଦରକାର । ଏହି ୩ ପ୍ଲେୟାର ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ କରିପାରିବେ ।

କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରନ କରିବାର ଆବଶ୍ୟକତା ଅଛି ବିରାଟ ଓ ରୋହିତ ଆଉଟ ହୋଇଯାଉଛନ୍ତି । ତେଣୁ ଦଳ ଉପରେ ଚାପ ବଢିଥାଏ । ଯଦି କେବଳ ଷ୍ଟ୍ରାଇକର ରୋଲ ନିଭାଇବାକୁ ହୁଏ ତେବେ ଆଙ୍କର ରୋଲ ହିଁ ଠିକ । ରାହୁଲଙ୍କୁ ନେଇ ମଧ୍ୟ କପିଲ କହିଛନ୍ତି ଯେ, ତାଙ୍କ କାମକୁ ନେଇ ସ୍ପଷ୍ଟତା ଜରୁରୀ ।

ଯଦି ଦଳ ତାଙ୍କୁ ୨୦ ଓଭର ଖେଳିବାକୁ କୁଏ ଓ ସେ ୬୦ ରନରେ ପ୍ୟାଭିଲିୟନ ଫେରନ୍ତି ତେବେ ଏହା ଠିକ ନୁହେଁ । ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏପରି ନହେଲେ ଖେଳାଳି ବଦଳାଇବାକୁ ହୁଏ । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି ।