ମୁମ୍ବାଇ: ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂ ପୁଣିଥରେ ମୈଦାନକୁ ଫେରିବାକୁ ଚାହୁଁଛନ୍ତି। ତେବେ ଭାରତୀୟ୍ ଟିମ୍ ପାଇଁ ନୁହେଁ ବରଂ ପଞ୍ଜାବ ଲାଗି ଘରୋଇ କ୍ରିକେଟ ମ୍ୟାଚ୍ ଖେଳିବାକୁ ସେ ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ବିସିସିଆଇର ଅନୁମତି ଲୋଡ଼ିଛନ୍ତି।

ଏହି ପୂର୍ବତନ ଷ୍ଟାର ଅଲରାଉଣ୍ଡର ନିଜର ପ୍ରତ୍ୟାବର୍ତ୍ତନ ବାବଦରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂମ୍ପାଦକ ଜୟ ଶାହଙ୍କୁ ମେଲ୍ କରିଛନ୍ତି। ବୋର୍ଡର ଅନୁମତି ମିଳିଲେ ଯାଇ ତାଙ୍କୁ କ୍ରିକେଟ ଖେଳିବାକୁ ସୁଯୋଗ ମିଳିବ। ତେବେ ଜଣେ ବିସିଆଇ ଅଧିକାରୀଙ୍କ କହିବାନୁଯାୟୀ ଯୁବରାଜଙ୍କ ପ୍ରତ୍ୟାବର୍ତ୍ତନ ଆଗରେ ବହୁ ଫାଟକ ରହିଛି।
ଅଧିକାରୀ ଜଣଙ୍କ କହିଛନ୍ତି ଯେ, ‘ଯୁବରାଜ ସିଂ ଭଳି ଅଭିଜ୍ଞ ଖେଳାଳିଙ୍କ ସହ ସମୟ ବିତାଇବା ନିଶ୍ଚିତ ପକ୍ଷେ ପଞ୍ଜାବ ସ୍କ୍ୱାଡ଼କୁ ଆସୁଥିବା ଯୁବ ଖେଳାଳିଙ୍କ ପାଇଁ ଲାଭଦାୟକ ହେବ। କିନ୍ତୁ, କଥା ହେଉଛି ଅବସର ପରେ ପାଇବାକୁ ଥିବା ମୋଟା ରାଶି ଯୁବରାଜ ପାଇସାରିଛନ୍ତି। ଏବଂ ଏବେ ପେନସନ୍ ବାବଦକୁ ୨୨,୫୫ ଟଙ୍କା ଲେଖାଁଏ ପାଉଛନ୍ତି। ଏସବୁ ତଥ୍ୟ ବିସିସିଆଇ ଏକାଉଣ୍ଟରେ ରହିଛି। ତେଣୁ ନିଷ୍ପତ୍ତି ବୋର୍ଡ଼ ଉପରେ ହିଁ ନିର୍ଭର କରୁଛି’।

ସୂଚନାଯୋଗ୍ୟ, ଗତବର୍ଷ ଜୁନ ୧୦ ତାରିଖରେ ମୁମ୍ବାଇ ଠାରେ ଏକ ପ୍ରେସମିଟ୍ ଡକାଇ ଯୁବରାଜ ନିଜର ଅବସର ଘୋଷଣା କରିଥିଲେ। ୨୦୧୯ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହେବା ଏବଂ ଦୀର୍ଘଦିନ ଧରି ଭାରତୀୟ ଦଳରେ ସ୍ଥାନ ନ ମିଳିବାରୁ ସେ ବାଧ୍ୟହୋଇ ଏହି ନିଷ୍ପତ୍ତି ନେଇଥିଲେ। ୨୦୦୭ ଟି-ଟ୍ୱେଣ୍ଟି ବିଶ୍ବକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଯୁବରାଜଙ୍କ ଭଲ ପ୍ରଦର୍ଶନ ଯୋଗୁଁ ହିଁ ଭାରତ ବିଜୟ ମୁକୁଟ ପିନ୍ଧି ପାରିଥିଲା। ସେ ୧୯ ବର୍ଷର କ୍ରିକେଟ କ୍ୟାରିଅର ମଧ୍ୟରେ ଭାରତୀୟ ଦଳର ପୋଷ୍ଟର ବୟ ରହିଆସିଛନ୍ତି।