କଟକ (ଏସ୍ ନ୍ୟୁଜ): ଆସନ୍ତା ୧୫ ତାରିଖରୁ ଓଡିଶା ହାଇକୋର୍ଟରେ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡରେ ମାମଲା ଗୁଡ଼ିକର ଶୁଣାଣି ହେବ। ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଏଥିପାଇଁ ଏସଓପି ଜାରି କରାଯାଇଛି। ମାମଲାର ଶୁଣାଣି ସମୟରେ ଆଇନଜୀବୀ ଓ ପକ୍ଷମାନେ ବ୍ୟକ୍ତିଗତ ଭାବେ ବା ଭିଡ଼ିଓ କନଫରେନ୍ସିଂରେ ରହିବେ ସେ ନେଇ ବିକଳ୍ପ ଚୟନ ବ୍ୟବସ୍ଥା ରହିବ । ବ୍ୟକ୍ତିଗତ ଉପସ୍ଥିତ ଓ ଭିଡ଼ିଓ କନଫରେନ୍ସିଂରେ ଉଭୟ ବ୍ୟବସ୍ଥାରେ ଏକସଙ୍ଗେ ଶୁଣାଣି ଚାଲିବ।
ଆସନ୍ତା ୧୫ ତାରିଖରୁ ଫିଜିକାଲ କୋର୍ଟ ମଧ୍ୟ ହେବାକୁ ଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି ହୋଇଛି । ଅଦାଲତ ପରିସର ମଧ୍ୟରେ ଜନଗହଳିକୁ ସବୁବେଳେ ବାରଣ କରାଯିବ। କୋର୍ଟ ରୁମ ନିୟମିତ ବିଶୋଧନ କରାଯିବ। କୋର୍ଟ ରୁମରେ ୪ ଜଣରୁ ଉର୍ଦ୍ଧ୍ବ ଓକିଲ ମହକିଲ ଏକତ୍ରିତ ହେବେନାହିଁ। ଆଇନଜୀବୀଙ୍କ କ୍ଲର୍କ ପ୍ରବେଶ ଉପରେ ଲାଗିବ କଟକଣା । କେବଳ ବରିଷ୍ଠ ଓକିଲମାନେ କ୍ଲର୍କମାନଙ୍କୁ ସାଙ୍ଗରେ ନେଇପାରିବ ଲାଗି ଅନୁମତି ପ୍ରଦାନ କରାଯାଇଛି । କେବଳ ମାମଲା ପରିଚାଳନା ପାଇଁ କୋର୍ଟ ରୁମ ପରିସରରେ ପ୍ରବେଶ ଅନୁମତି ରହିଛି । ଶୁଣାଣି ସରିବା ପରେ ତୁରନ୍ତ ପ୍ରସ୍ଥାନ ପାଇଁ ଏସଓପିରେ ପରାମର୍ଶ ଦିଆଯାଇଛି । ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଆଇନଜୀବୀଙ୍କ ବସିବାର ବ୍ୟବସ୍ଥା କରାଯିବ। କୋର୍ଟ ପରିସରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସବୁ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।