ଅପେରା ଦେଖୁ ଦେଖୁ ଚାଲିଗଲା ଜୀବନ

କେନ୍ଦୁଝର/ଆଙ୍କର୍(ସାକ୍‌ସୀ ନ୍ୟୁଜ୍‌): ମନୋରଞ୍ଜନର ପାଇଁ ଆସିଥିଲେ ଅପେରା ଦେଖିବାକୁ। ଭାବିଥିଲେ, ରାତିସାରା ନାଟକ ଦେଖି ହସିବେ, ଖୁସି ହେବେ ଏବଂ ସକାଳେ ଘରକୁ ଫେରିବେ। କିନ୍ତୁ କିଏ ଜାଣିଥିଲା, ସେହି ରାତି ତାଙ୍କ ଜୀବନର ଶେଷ ରାତି ପାଲଟିଯିବ! ଅପେରା ଦେଖୁ ଦେଖୁ ହଠାତ୍ ଚେୟାର ଉପରେ ଟଳି ପଡ଼ିଲେ ଦର୍ଶକ। ଡାକ୍ତରଖାନା ନିଆଗଲା, ହେଲେ ଜୀବନ ଫେରିଲା ନାହିଁ। ଦୁଇଟି ଛୋଟ ଛୁଆଙ୍କ ମୁଣ୍ଡରୁ ଉଠିଗଲା ବାପାଙ୍କ ହାତ। କେନ୍ଦୁଝର କାଳୀପଡ଼ିଆ ମୀନାବଜାରରେ ଘଟିଥିବା ଏହି ଅଭାବନୀୟ ଘଟଣା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।

କେନ୍ଦୁଝର ସହରର କାଳୀପଡ଼ିଆରେ ଚାଲିଥିଲା କାଳୀପୂଜା ମୀନାବଜାର। ମଞ୍ଚରେ ତୁଳସୀ ଗଣନାଟ୍ୟର ଅପେରା ଚାଲିଥିବା ବେଳେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ଭିଡ଼ ଭିତରେ ନିଜ ସମ୍ପର୍କୀୟଙ୍କ ସହ ବସି ଅପେରା ଦେଖୁଥିଲେ ତୁରୁମୁଙ୍ଗା ଅଞ୍ଚଳର ସର୍ବେଶ୍ୱର ସାହୁ। ହେଲେ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଚେୟାର ଉପରେ ଟଳି ପଡ଼ିଥିଲେ ସେ। ମୁହୂର୍ତ୍ତକ ମଧ୍ୟରେ ଖୁସିର ମାହୋଲ ପାଲଟିଗଲା ଆତଙ୍କରେ। ଅଚେତ ଅବସ୍ଥାରେ ତାଙ୍କୁ ଅପେରା ପେଣ୍ଡାଲରୁ ବାହାରକୁ ଅଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାହାରକୁ ଆଣିବା ସମୟରେ ସେ ଜୋରରେ ତିନିରୁ ଚାରିଥର ହେକ୍କା ମାରିଥିଲେ। ଏହାପରେ ପୋଲିସ ସହାୟତାରେ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ତାଙ୍କର ଏପରି ଅକାଳ ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ତେବେ ଏହି ମୃତ୍ୟୁକୁ ନେଇ ପରିବାର ଲୋକ ଅପେରାର ଉଚ୍ଚଶବ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାଉଣ୍ଡ ନିୟମ ଅନୁଯାୟୀ ଶବ୍ଦ ପୂର୍ବରୁ ନିୟନ୍ତ୍ରଣ କରାଯାଇଥିଲେ ହୁଏତ ଏଭଳି ଅଘଟଣ ଘଟିନଥାନ୍ତା ବୋଲି ସେମାନଙ୍କ ଅଭିଯୋଗ । ଅନ୍ୟପଟେ, ଦୁଇଟି ଛୋଟ ଛୁଆଙ୍କୁ ନେଇ ଏବେ ଅସହାୟ ହୋଇପଡ଼ିଛି ପରିବାର। ସର୍ବେଶ୍ୱରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ପରିଜନ। ଡାକ୍ତରଙ୍କ କହିବା କଥା, ଏଠାକୁ ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଯାଇଥିଲା ଏବଂ ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ଗୋଟିଏ ରାତିର ମନୋରଞ୍ଜନ ମଧ୍ୟରେ ଲିଭିଗଲା ଗୋଟିଏ ଜୀବନର ଦୀପ। ଯେଉଁ ବାପାଙ୍କ ହାତ ଧରି ଦୁଇଟି ଛୋଟ ଛୁଆ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ, ଆଜି ସେହି ବାପା ଆଉ ନାହାନ୍ତି। ଅପେରା ମଞ୍ଚରେ ନାଟକ ଚାଲିଥିଲା, ହେଲେ ଜଣେ ପରିବାରର ଜୀବନରେ ସବୁଦିନ ପାଇଁ ପରଦା ପଡ଼ିଗଲା । କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ ।