କୃଷକଙ୍କୁ ବିଜୁଳି ବିଲରେ ରିହାତି ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତି ମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ କରିବେ । ଏହି ରିହାତି ଅର୍ଥ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଚଳିତ ବର୍ଷ ମେ’ ମାସର ବିଜୁଳି ବିଲଠାରୁ ଏହି ଯୋଜନା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, କୃଷକମାନଙ୍କର ସ୍ୱାର୍ଥକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଏହି କ୍ରମରେ ତାଙ୍କ ସରକାର କୃଷକମାନଙ୍କର ଆର୍ଥିକ ବିକାଶ ଓ ମଙ୍ଗଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନାର ଲାଭ ବି ଭାଗଚାଷୀ ପାଇପାରିବେ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ୧୪୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।