ନୂଆଦିଲ୍ଲୀ : ଭାରତ ନିଜର ସାମରିକ ବାହିନୀ ପାଇଁ ଏମକ୍ୟୁ-୯ ରିପର ଡ୍ରୋନ କିଣିବାକୁ ଚିନ୍ତା କରୁଛି । ଆସନ୍ତା ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସୁଥିବା ପ୍ରତିରକ୍ଷା କ୍ରୟ ପରିଷଦର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ । ସୂଚନା ଅନୁସାରେ ଭାରତ ମୋଟ ୩ ବିଲିୟନ ଡଲାରରେ ୩୦ଟି ପ୍ରେଡେଟର ଡ୍ରୋନ କିଣିବ । ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ । ୨୦୧୯ ଏପ୍ରିଲ ମାସରେ ଟ୍ରମ୍ପ ପ୍ରଶାସନ ଆମେରିକାର ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । ଜେନେରାଲ ଆଟମିକ୍ସ କମ୍ପାନି ଏହି ଡ୍ରୋନ ନିର୍ମାଣ କରିଥାଏ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ । ସେହିପରି ଏହି ଶକ୍ତିଶାଳୀ ଡ୍ରୋନର ଜବାବ ଚୀନ ପାଖରେ ନାହିଁ ବୋଲି କୁହାଯାଉଛି ।