ଆଠଗଡ, ଏସ୍ ନ୍ୟୁଜ୍ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର କ୍ରୀଡା ଶିକ୍ଷକ କୋରନା ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଦୀର୍ଘ ୨୨ ଦିନ କାଳ କୋରନା ସହ ଲଢେଇ କରି ଶେଷରେ ଶିକ୍ଷକ ଭାଗ୍ୟଧର ପ୍ରଧାନ ଜୀବନ ଯୁଦ୍ଧରେ ହାରିଗଲେ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇ ମାଧପୁର ସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସମ ଅଲ୍ଟିମେଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ତାଙ୍କର ଫୁସଫୁସ ୮୦% ସଂକ୍ରମିତ ହୋଇ ପ୍ରଥମେ ଆଇସିୟୁ ଏବଂ ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଦୀର୍ଘ ୨୨ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ହାରି ଯାଇଥିଲେ । ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ତାଙ୍କର ଶବ ଦାହ କରାଯାଇଥିଲା । ବଡ଼ପୁଅ ଶୁଭମ୍ ମୁଖାଗ୍ନୀ ଦେଇଥିଲେ । ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ପରୋପକାରୀ ତଥା ଛାତ୍ର ବତ୍ସଳ ଶିକ୍ଷକ ଭାବରେ ପରିଚିତ ଭାଗ୍ୟଧର ପ୍ରଧାନଙ୍କ ଅକାଳ ବିୟୋଗରେ ସମଗ୍ର ଆଠଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।