ଭୁବନେଶ୍ୱର,(ଏସ୍ ନ୍ୟୁଜ୍) ତା ୭.୮- ଭାରତ ବର୍ଷର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ କାଟିବା ଅତ୍ୟନ୍ତ ଦୁର୍ଭାଗ୍ୟ ଏବଂ ମୋଦି ସରକାରର ଅସହିଷ୍ଣୁତା ବୋଲି କଂଗ୍ରେସ କହିଛି । ଭାରତବର୍ଷରେ ନୂଆ କିଛି କରିବାର ଦକ୍ଷତା ରଖିନଥିବା ବିଜେପି ସରକାର କଂଗ୍ରେସ କରିଥିବା ସମସ୍ତ ଯୋଜନାର ନାମ ପରିବର୍ତନ କରିବାରେ ବ୍ୟସ୍ତ ରହୁଛନ୍ତି । ଖେଳ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ ହଟେଇଦେଲେ ଭାରତବର୍ଷରୁ ରାଜୀବ ଗାନ୍ଧୀଙ୍କ ବିଚାରଧାରାକୁ ପରିବର୍ତନ କରିପାରିବେ ନାହିଁ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ରକ୍ତ ଭାରତ ବର୍ଷର ମାଟି, ପାଣି ଓ ପବନରେ ପ୍ରବାହିତ ହେଉଛି ଏବଂ ସେ ହେଉଛନ୍ତି ଆଧୁନିକ ଭାରତ ବର୍ଷର ନିର୍ମାତା ଏବଂ ବର୍ତମାନ ଯୁବ ଶକ୍ତିର ଆଦର୍ଶ ଓ ପ୍ରାଣଦାତା । ଏହି ଅବସରରେ କଂଗ୍ରେସ ଭବନରେ ପିସିସି ମିଡିଆ ସେଲ ପକ୍ଷରୁ ଏକ ଜରୁରୀ ବୈଠକରେ ଏହି ହୀନ ରାଜନୀତିକୁ ନେଇ ମୋଦି ସରକାରର ଦୃଢ଼ ନିନ୍ଦା କରାଯାଇଛି । ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବାହକ ସତ୍ୟପ୍ରକାଶ ନାୟକ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ବିଧାୟକ ତଥା ମୁଖପାତ୍ର ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଅମିୟ ପାଣ୍ଡବ, ପ୍ରଶାନ୍ତ ଶତପଥି, ମନୋଜ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସମେତ ସାମାଜିକ ଗଣମାଧ୍ୟମର ରାଜ୍ୟ ସାଧାରଣ ସଂପାଦକ ଚନ୍ଦନ ରାୟ, ସୁବାଷ ଚନ୍ଦ୍ର ନାୟକ, ବିନୋଦ ବିହାରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।