ବାଲେଶ୍ୱର, (ଏସ୍ ନ୍ୟୁଜ): ଜଳେଶ୍ୱର ବ୍ଲକ ଅନ୍ତର୍ଗତ କଳମା ପଂଚାୟତରେ ୩୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ପରେ ୫ଟି ସଚିବଙ୍କ ହସ୍ତକ୍ଷେପ ଓ ଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ପୂର୍ବାହ୍ନରେ ଜିଲା ପଂଚାୟତ ଅଧିକାରୀ ରବିଚରଣ କହଁର ସଦଳବଳେ କଳମା ପଂଚାୟତ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କଳମା ପଂଚାୟତ ଏକ ଆଦିବାସୀ ଅଧ୍ୟୁସିତ ଅଂଚଳ ହୋଇଥିବାରୁ ଜନସାଧାରଣ ଅଧିକ ସଚେତନ ନୁହନ୍ତି । ୪ର୍ଥ ଏସ୍ଏଫସି ଓ ୧୪ତମ ସିଏଫସି ର ୨ଟି ପାସ୍ବୁକ୍ ଦ୍ୱାରା ବାରମ୍ବାରା ୩୩୫୭୦୩୧ଟଙ୍କା ବିଭିନ୍ନ ସମୟରେ ବେନିୟମଭାବେ ଉଠାଯାଇଛି । ସରପଂଚଙ୍କ ସ୍ୱାମୀ ଓ ନିକଟ ପଂଚୟତର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ନାମରେ ଉପରୋକ୍ତ ଅର୍ଥ ଉଠାଯାଇଥିବା ସଂପର୍କରେ ପଂଚାୟତବାସୀଙ୍କ ପକ୍ଷରୁ ବିଡିଓ, ଜିଲାପାଳ ଓ ୫ଟି ମୋ ସରକାରଙ୍କ ଠାରେ ଅଭିଯୋଗ ହୋଇଥିଲା । ପଂଚାୟତର କୁଚବଣିଆଠାରେ ଏକ ପିଇବା ପାଣି ପ୍ରକଳ୍ପ ନାମରେ ୧ଲକ୍ଷ ୯୬ ହାଜର ଟଙ୍କା କନିଷ୍ଠ ଯନ୍ତ୍ରୀ ଦିନେଶ ଅଢାଙ୍କା ନାମରେ ଉଠାଯାଇଥିବା ବେଳେ ଘଟଣାସ୍ଥାନରେ ପ୍ରକଳ୍ପ ଖନନ ହୋଇନଥିବା ସମ୍ବେଦନଶୀଳ ଘଟଣା ହୋଇଛି । ପ୍ରକାଶଯୋଗ୍ୟ ଏହି ପ୍ରକଳ୍ପ ରାତାରାତି ଏବେ ଖନନ ହେଉଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ । କାରଣ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତତ୍ପରା ହୋଇ ଘଟଣାର କେତେକ ଅଂଶ ବୁଲି ଦେଖିବାପରେ ପଂଚାୟତର କେତେକ କର୍ମକର୍ତ୍ତା ସକ୍ରିୟ ହୋଇ ଉଠିଥିଲେ । ଆଜି ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ପଂଚାୟତ ଅଧିକାରୀ ରବିଚରଣ କହଁର, ଜିପିଓ ମାୟାଧାର ମଲ୍ଲିକ, ସତ୍ୟନାରାୟଣ ପଟ୍ଟନାୟକ, ପିଇଓ ବିକ୍ରମ କୁମାର ଜେନା, ରବିନ୍ଦ୍ର ସିଂ ପ୍ରମୁଖ ଆଜି ପଂଚାୟତ କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ୍ କରିଥିଲେ । ପଂଚାୟତର ଶ୍ରୀକାନ୍ତ ସିଂ, ରାଜୀବ ପାଢୀ, ଜୟଶଂକର ଗିରି ପ୍ରମୁଖ ଗ୍ରାମବାସୀ ତଦନ୍ତ ବେଳେ ଉପସ୍ଥିତ ଥିଲେ ।