ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଚଳିତମାସ ୨୧ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ । ଏହି ଯାତ୍ରା ସମୟରେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କର ଭାରତ ସମକକ୍ଷ ନରେନ୍ଦ୍ର ମୋଦୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷୀକ ଆଲୋଚନା କରିବେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ହେବା ପରେ ବୋରିସ ଜନ୍ସନ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ସେ ଅର୍ଥନୀତି, ସୁରକ୍ଷା ଓ ଟେକ୍ନୋଲୋଜୀ ପ୍ରସଙ୍ଗରେ ମୋଦୀଙ୍କ ସହିତ କଥା ହେବେ । ଭାରତ ଗସ୍ତ ନେଇ ଜନସନ କହିଛନ୍ତି, ଉଭୟ ବ୍ରିଟେନ ଓ ଭାରତ ବିକାଶ ନେଇ ମୋର ଏହି ଗସ୍ତ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ମୁଁ ଏପ୍ରିଲ ୨୧ରୁ ଦୁଇଦିନିଆ ଭାରତ ଗସ୍ତ କରୁଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜୋନସନ ଶେଷଥର ପାଇଁ ଗତବର୍ଷ ନଭେମ୍ବରରେ ଗ୍ଲାସଗୋ ସମିଟରେ ପରସ୍ପରକୁ ଭେଟିଥିଲେ । ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ଦୁଇଥର ବାତିଲ ହୋଇଥିଲା । ପ୍ରଥମେ ଜାନୁଆରୀ ୨୬ରେ ମୁଖ୍ୟଅତିଥି ଭାବେ ସାମିଲ ହେବାର ଥିଲା । ହେଲେ କରୋନା ସଙ୍କଟ ଯୋଗୁ ଏହି ଯାତ୍ରାକୁ ବାତିଲ କରିବାକୁ ପଡିଥିଲା । ପରେ ଏପ୍ରିଲରେ ମଧ୍ୟ କରୋନା ଯୋଗୁ ଜୋନସନଙ୍କ ଗସ୍ତ ବାତିଲ ହୋଇଥିଲା ।