ମୟୁରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ ୨୭ ତାରିଖରୁ

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ସ୍ଥାନୀୟ ବେଲଗଡ଼ିଆ ଐତିହାସିକ ପ୍ୟାଲେସ ପରିସରରେ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ସହଯୋଗରେ କଣ୍ଟାକ୍ଟ ବେସ ବାଙ୍ଗଲା ନାଟକ ଡଟକମ ଆନୁକୂଲ୍ୟରେ ଚଳିତ ମାସ ୨୭ ରୁ ୨୯ ତାରିଖ ମୟୁରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଉତ୍ସବ ଜିଲ୍ଲାର ନୃତ୍ୟ, ସଂଗୀତ, ହସ୍ତଶିଳ୍ପ ସମ୍ବନ୍ଧୀୟ ସମୃଦ୍ଧ ପରମ୍ପରାଗୁଡିକୁ ଗୋଟିଏ ମଞ୍ଚରେ ସମସ୍ତଙ୍କୁ ଏକତ୍ରିତ କରିବ ବୋଲି ଛଉ ଗବେଷକ ସୁଧୀର କୁମାର ନାୟକ ଜଣାଇଛନ୍ତି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲା ନାଟକ ଡଟକମ ଓ କଣ୍ଟାକ୍ଟବେସର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାଞ୍ଜନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବେନର୍ଜି ଅଭିପ୍ସା ଘୋଷ, ଛଉ ଗୁରୁ ଲୋକନାଥ ଦାସ ଓ ଛଉ ଗବେଷକ ସୁଧୀର କୁମାର ନାୟକ ଉପସ୍ଥିତ ରହି ମହୋତ୍ସବର ରୂପରେଖ ଉପରେ ଆଲୋକପାତ କରିଥିଲେ ।

ଏହି ମହୋତ୍ସବ କଣ୍ଟାକ୍ଟ ବେସ ଦ୍ୱାରା ମୟୁରଭଞ୍ଜର ୧୬୦୦ ରୁ ଅଧିକ କଳାକାରଙ୍କ ସହ କରାଯାଇଥିବା କାର୍ଯ୍ୟ ଉପରେ ଆଧାରିତ। ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ହସ୍ତଶିଳ୍ପ, ପରିବେଷଣ କଳା କ୍ଷେତ୍ରରେ ଜଡିତ କଳାକାରମାନଙ୍କୁ ଦକ୍ଷତା ବିକାଶ, ଡିଜାଇନ ପ୍ରସ୍ତୁତି ଏବଂ ବଜାର ସୁଯୋଗ ଯୋଗାଇ ଦିଆଯାଇଛି । ଏଥିରେ ବାରିପଦା ଆଖପାଖ ଅଂଚଳର ସବାଇ ଘାସ ଓ ଢ଼ୋକ୍ରା ଶିଳ୍ପୀ ଏବଂ ରାଇରଙ୍ଗପୁରର ବାଉଁଶ କାରିଗର ଓ କାଶୀ ଘାସର ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ତଥା ମୟୁରଭଞ୍ଜ ଛଉ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଅନ୍ତର୍ଭୁକ୍ତ।୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ସ୍ପେନ ଓ ଯୁକ୍ତରାଜ୍ୟର କଳାକାରମାନେ ମୟୁରଭଞ୍ଜ ଓ ବଙ୍ଗଳାର ପାରମ୍ପାରିକ କଳାକାରମାନଙ୍କ ସହ ଏକତ୍ରିତ ହେବେ ଏବଂ ପୂର୍ବ ଭାରତର ତିନୋଟି ସ୍ୱତନ୍ତ୍ର ଛଉ ପରମ୍ପରା ମୟୁରଭଞ୍ଜ, ପୁରୁଳିଆ ଓ ସରାଇକେଲା ଛଉକୁ ମଧ୍ୟ ଏକାଠି ହେବେ ।

୨୭ ତାରିଖ ଦିନ ସ୍ପେନର “ଲା ଫୁରିଆ ଡେ ଲୋସ ପାଜାରୋଶ ଓ ବାରିପଦାର “ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ” ଏବଂ ସ୍ପେନ ଓ ପୁରୁଳିଆ ଛଉ ମିଳିତ ଭାବେ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨୮ ତାରିଖରେ ୟୁ କେ କଳାକାରମାନଙ୍କ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାରିବେଷିତ ହେବ। ୨୭ ତାରିଖ ଅପରାହ୍ନ ୩ଟା ରେ ଉଦଘାଟନୀ କାର୍ଯ୍ୟକ୍ରମ ରହିଛି ଓ ୨୮ ଓ ୨୯ ତାରିଖ ୧୦ଟା ରୁ ୫ଟା କାର୍ଯ୍ୟକ୍ରମ ଚାଲିବ। ବହୁ ସଂଖ୍ୟାରେ ଉପସ୍ଥିତ ରହି ମହୋତ୍ସବକୁ ଉପଭୋଗ କରିବାକୁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି ।