ମଙ୍ଗଳପୁର–ଗୋବିନ୍ଦପୁର–ଝାଟିଆସାହି ରାସ୍ତାର ହେବ ନବକଳେବର
୧୬ କୋଟି ୪୮ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ, ୬.୯୬୧ କିମି ରାସ୍ତାର ହେବ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ
ଭଦ୍ରକ(ସାକ୍ସୀ ନ୍ୟୁଜ୍): ଧାମନଗର ବ୍ଲକ୍ର ମଙ୍ଗଳପୁରଠାରୁ ଗୋବିନ୍ଦପୁର ଦେଇ ଝାଟିଆସାହି ପର୍ଯ୍ୟନ୍ତ ରାସ୍ତାର ହେବ ନବକଳେବର। ଦୀର୍ଘଦିନ ଧରି ଏହି ରାସ୍ତାର ଉନ୍ନତିକରଣକୁ ଅପେକ୍ଷା କରିଥିବା ଅଞ୍ଚଳବାସୀଙ୍କ ପାଇଁ ଏବେ ଆସିଛି ଖୁସି ଖବର। ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୬ କୋଟି ୪୮ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରୋଡ୍ସ-୧), ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ନଭେମ୍ବର ୧୩ ତାରିଖରେ ଏନେଇ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାର ବିଡ୍ ଆଇଡେଣ୍ଟିଫିକେସନ୍ ନମ୍ବର CE-Roads-I-15/2026-27 ରହିଛି। ଏହି ପ୍ରକଳ୍ପ ଅଧୀନରେ ମୋଟ ୬.୯୬୧ କିଲୋମିଟର ରାସ୍ତାର ଉନ୍ନତିକରଣ ସହ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କରାଯିବ ।
ଏହି ରାସ୍ତାର ଉନ୍ନତିକରଣ ହେଲେ ଧାମନଗର ଅଞ୍ଚଳର ଅନେକ ଗ୍ରାମର ଲୋକଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଗମନାଗମନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ। ବିଶେଷକରି ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନକୁ ଯାତାୟାତ, ରୋଗୀଙ୍କୁ ଚିକିତ୍ସାଳୟ ନେବା, ଚାଷୀଙ୍କ କୃଷିଜାତ ଦ୍ରବ୍ୟ ପରିବହନ ସହ ସ୍ଥାନୀୟ ବ୍ୟବସାୟିକ କାର୍ଯ୍ୟକଳାପରେ ଏହା ବିଶେଷ ସହାୟକ ହେବ। ସର୍ବୋପରି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଧାମନଗର ଅଞ୍ଚଳର ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବା ସହ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।