ୟୁପିରେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବେ

ଆମେଠିରେ କଂଗ୍ରେସ ବିରୋଧୀ ହାୱା ରହୁଥିବାରୁ ଏହା ପ୍ରିୟଙ୍କାଙ୍କ ପାଇଁ ଲଢ଼ିବା ଠିକ ହେବନାହିଁ ବୋଲି ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି…

ଲକ୍ଷେ୍ନø : ନିକଟରେ ଶେଷ ହୋଇଥିବା ନବ ସଂକଳ୍ପ ଶିବିର ପରେ ଏବେ କଂଗ୍ରେସ କିଛିଦିନ ମଧ୍ୟରେ ଉତ୍ତର ପ୍ରଦେଶର ନୂଆ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଯାଉଛି । ଏହି କାର୍ଯ୍ୟ ସଂପୂର୍ଣ୍ଣ ରୂପେ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା ସଂପୂଣ୍ଣ ହେବ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । ଉତ୍ତର ପ୍ରଦେଶରେ ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଭାରୀ ରହିବା ସହିତ ସବୁ ପ୍ରସଙ୍ଗକୁ ନେଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ରରୁ ଜଣାଯାଏ ଯେ କଂଗ୍ରେସ ସଂଗଠନରେ ପ୍ରିୟଙ୍କାଙ୍କ କ୍ଷମତା ବୃଦ୍ଧି କରିବା ଲାଗି ଯୋଜନା କରାଯାଉଥିଲେ ମଧ୍ୟ ସେ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁଣାଯାଉଛି ।

ବିଶେଷ କରି ରାଏବରେଲି ଏବଂ ଆମେଠିରେ କଂଗ୍ରେସ ବିରୋଧୀ ହାୱା ରହୁଥିବାରୁ ଏହା ପ୍ରିୟଙ୍କାଙ୍କ ପାଇଁ ଲଢ଼ିବା ଠିକ ହେବନାହିଁ ବୋଲି ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି । ସେହି କାରଣରୁ ତାଙ୍କୁ ଏକ ସୁରକ୍ଷିତ ଆସନ ଦେବାଲାଗି ବିଚାର କରାଯାଉଛି । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କର ଆମେଠି ନିର୍ବାଚନ ମଣ୍ଡଳୀ ଛାଡ଼ି କେରଳର ୱାଇନାଡ଼ରୁ ସାଂସଦ ହେବା ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିବା କାରଣରୁ ଉତ୍ତର ପ୍ରଦେଶ ପାର୍ଟି ତାହାର ସତ୍ତା ହରାଇଛି ବୋଲି ଅନେକ ମତ ଦେଇଛନ୍ତି ।