ପୁଣି ସୁପ୍ରିମକୋର୍ଟ ଗଲେ ନୂପୁର ଶର୍ମା

କୋର୍ଟଙ୍କ ଏହି ଆକ୍ଷେପମୂଳକ ମନ୍ତବ୍ୟ ପରେ ନୂପୁର ନିଜ ଆବେଦନ ପ୍ରତ୍ୟାହାର କରିନେଇଥିଲେ….

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟରେ ପୁଣିଥରେ ହାଜର ହୋଇଛନ୍ତି । ତାଙ୍କ ବିରୋଧରେ ଏଫଆଇଆରରେ ଗିରଫଦାରୀ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦୋହରାଇଛନ୍ତି । ପ୍ରଥମ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ଅପ୍ରତ୍ୟାଶିତ ତଥା କଠୋର ସମାଲୋଚନା ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ଏବଂ ତାଙ୍କୁ ବଳାତ୍କାର ଧମକ ଦିଆଯାଉଛି ବୋଲି ନୂପୁର ଏକ ସାନି ପିଟିସନ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀରେ ଦିଆଯାଇଥିବା ଏଫଆଇଆର ପ୍ରଥମ ହୋଇଥିବାରୁ ଅନ୍ୟ ସ୍ଥାନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଦିଲ୍ଲୀ ମାମଲା ସହିତ ସଂଯୁକ୍ତ କରାଯାଉ ।

ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଏଫଆଇଆର ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ ନୂପୁରଙ୍କୁ କଡା ସମାଲୋଚନା କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ ଜଣେ ମହିଳାଙ୍କ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି । କୋର୍ଟଙ୍କ ଏହି ଆକ୍ଷେପମୂଳକ ମନ୍ତବ୍ୟ ପରେ ନୂପୁର ନିଜ ଆବେଦନ ପ୍ରତ୍ୟାହାର କରିନେଇଥିଲେ । ବର୍ତ୍ତମାନ ସେ ପୁଣି ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୂଚନା ମୁତାବକ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ବିଶ୍ୱରେ ନିନ୍ଦିତ ହେଇଥିଲେ ।