୫ ମାସ ତଳୁ ପୋତା ଯାଇଥିଲା ବିଜେପି-ଜେଡିୟୁ କଳି ମଞ୍ଜି

ଏପରି କିଛି ଛୋଟଛୋଟ ଘଟଣା ସ୍ୱାଭିମାନୀ ନୀତୀଶଙ୍କୁ ବାଧିଥିଲା….

ପାଟନା: ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ କେତେକ ପ୍ରସ୍ତାବକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରୀତିମତ ପ୍ରତିବାଦ କରି ଚର୍ଚ୍ଚାରେ ଥିଲେ । ଏପରିକି ତିନି ତଲାକ ବିଲକୁ ନୀତୀଶ ସହଜରେ ଗ୍ରହଣ କରି ନଥିଲେ । ବିହାର ବିଧାନସଭାର ବାଚସ୍ପତି ପଦଟି ବିଜେପି ଭାଗରେ ପଡ଼ିଥିଲା । ବିହାର ସରକାରଙ୍କ କେତୋଟି ବିଲ ଉପରେ ବାଚସ୍ପତି ଲଘୁ ମନ୍ତବ୍ୟ ଦେଇ ନୀତୀଶଙ୍କୁ ଏକପ୍ରକାର ଅପଦସ୍ତ କରିଥିଲେ । ଏପରି କିଛି ଛୋଟଛୋଟ ଘଟଣା ସ୍ୱାଭିମାନୀ ନୀତୀଶଙ୍କୁ ବାଧିଥିଲା । ମନକଥା ମନରେ ଚାପି ନିରବ ଥିଲେ । ସବୁବର୍ଷ ପରି ଚଳିତ ଏପ୍ରିଲରେ ରାବିଡ଼ି ଦେବୀଙ୍କ ଘରେ ଇଫ୍‌ତାର ପାର୍ଟିର ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍‌ ସେଠାରେ ପହଂଚି ସମସ୍ତଙ୍କୁ ଆଚମ୍ବିତ କରିଦେଲେ । ରାବିଡ଼ିଙ୍କ ଘରେ ନୀତୀଶଙ୍କ ଉପସ୍ଥିତି ଦେଖି ବିଜେପି ବିଧାୟକଙ୍କ ରକ୍ତ ହେମାଳ ହୋଇଗଲା । ମାତ୍ର ଉକ୍ତ ପାର୍ଟିରେ ଆଲୋଚନା ଛଳରେ ନୀତୀଶ ‘ମହାଗଠବନ୍ଧନ କଥା ଦେଖିବା’ କହି ବିଜେପି ହାତ ଛାଡ଼ିବାର ପରୋକ୍ଷ ଧମକ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଚାରୋଟି କାର୍ଯ୍ୟକ୍ରମରେ ନୀତୀଶଙ୍କ ଅନୁପସ୍ଥିତି ଅନେକଙ୍କୁ ସନ୍ଦେହରେ ପକାଇଥିଲା । ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତୀ ଆୟୋଗ ବୈଠକକୁ ନୀତୀଶ ଅଣଦେଖା କରିଥିଲେ । ୨୫ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ଶପଥ ସମାରୋହରେ ନୀତୀଶ ଯୋଗଦେଲେନି । ୨୨ ଜୁଲାଇରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳୀନ ଭୋଜିକୁ ନୀତୀଶ ଯାଇ ନଥିଲେ । ଜୁଲାଇ ୧୭ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ନୀତୀଶ ଅନୁପସ୍ଥିତ ଥିଲେ ।

ନୀତୀଶଙ୍କ ମତିଗତି ଉପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ ଥିଲେ ମଧ୍ୟ ମେଂଟ ସରକାର କାରଣରୁ ତୁଣ୍ଡ ଖୋଲୁ ନଥିଲେ । ମାତ୍ର ନିରବ ପ୍ରତିଶୋଧ ନେବାର ବାଟ ଖୋଜୁଥିଲେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାର ସମାନ ପ୍ରତିନିଧିତ୍ୱ ଚାହୁଁଥିଲେ । ବିହାରରେ ବିଜେପି ଓ ଜେଡିୟୁର ୧୬ ଜଣ ଲେଖାଏଁ ସାଂସଦ ଅଛନ୍ତି । ତେଣୁ ବିହାର ବିଜେପିରୁ ଯେତିକି ଜଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି, ଜେଡିୟୁରୁ ସେତିକି ଜଣ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବା କଥା ନୀତୀଶ ଉଠାଇଥିଲେ । ନୀତୀଶଙ୍କ କଥାକୁ ମୋଦୀ ଗୁରୁତ୍ୱ ଦେଲେନି । ୨୦୧୯ରେ ମୋଦୀଙ୍କ କ୍ୟାବିନେଟରେ ଜେଡିୟୁକୁ ଗୋଟିଏ ମନ୍ତ୍ରୀ ପଦ ଯଚା ଯାଇଥିଲା ।