ବିଜେପିକୁ ଡୁବାଇଲା ବିହାର ବାଚସ୍ପତିଙ୍କ ବ୍ୟବହାର

ଦ୍ୱିତୀୟ ଘଟଣାଟି ବାଚସ୍ପତିଙ୍କ ନିଜ ବିଧାନସଭା କ୍ଷେତ୍ରରେ ଘଟିଥିଲା….

ପାଟନା: କୁହାଯାଉଛି, ବିହାର ବିଧାନସଭାର ବାଚସ୍ପତି ପଦଟି ବିଜେପି ହାତକୁ ଯାଇଥିଲା । ତଦନୁଯାୟୀ ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାଚସ୍ପତି ହୋଇଥିଲେ । ବାଚସ୍ପତି ବିଜୟ ଓ ନୀତୀଶଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହୁଥିଲା । ତା’ ଭିତରୁ ତିନୋଟି ଘଟଣା ପ୍ରଧାନ । ୨୦୨୨ ମାର୍ଚ୍ଚରେ ବିଧାନସଭା ଆଲୋଚନା କାଳରେ ବାଚସ୍ପତି ବିଜୟ ସିହ୍ନା ସରକାରଙ୍କର କେତୋଟି କାମରେ ପ୍ରଶ୍ନ ପଚାରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅପଦସ୍ତ କରିଥିଲେ । ବାଚସ୍ପତି ଗୃହ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି କହି ନୀତୀଶ ଉଦ୍‌ବେଗ ପ୍ରକାଶ କରିଥିଲେ । ଦ୍ୱିତୀୟ ଘଟଣାଟି ବାଚସ୍ପତିଙ୍କ ନିଜ ବିଧାନସଭା କ୍ଷେତ୍ରରେ ଘଟିଥିଲା । କୋଭିଡ୍‌ ଟୀକା ଦିଆଯାଉଥିବା ସମୟରେ ପୁଲିସ କିଛି ବିଜେପି ନେତାଙ୍କୁ ଗିରଫ କରିଥିଲା ଯାହାକୁ କେନ୍ଦ୍ର କରି ବାଚସ୍ପତି ସିହ୍ନା ନୀତୀଶଙ୍କ ସରକାରକୁ ତୀବ୍ର ସମାଲୋଚନା କରିଥିଲେ ।

ଏଗୁଡ଼ିକୁ ବାଦଦେଲେ, କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ କେନ୍ଦ୍ର କରି ବିହାରରେ ଉପୁଜିଥିବା ହିଂସାକାଣ୍ଡରେ ବିହାର ବିଜେପି ମୁଖ୍ୟ ସଂଜୟ ଜୟସୱାଲ ନୀତୀଶଙ୍କୁ ଏକପ୍ରକାର ଧମକ ଦେଇଥିଲେ । ସେ କହିଥିଲେ, ‘କେବଳ ବିଜେପିକୁ ଟାର୍ଗେଟ୍‌ କରାଯାଉଛି । ଏହାକୁ ତୁରନ୍ତ ରୋକା ନଗଲେ, ପରିଣାମ କାହା ପାଇଁ ଠିକ୍‌ ହେବନି ।’ ଜୟସୱାଲଙ୍କ ଧମକ ନୀତୀଶଙ୍କୁ ବାଧିଥିଲା । ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନୀତିକୁ ଖୋଲାଖୋଲି ବିରୋଧ କରୁଥିଲେ । ବିଜେପି ଦେଶରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରତି ଗୁରୁତ୍ୱାରୋପ କରୁଥିଲା ବେଳେ ନୀତୀଶ କହନ୍ତି, ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବାସ୍ତବ ଦୃଷ୍ଟିରୁ ଠିକ୍‌ ନୁହେଁ ।