ଯାଦବ ପରିବାରକୁ ମିଳିବ ଉପ-ମୁଖ୍ୟମନ୍ତ୍ରୀ!

ଏଥର ତାଙ୍କ ପତ୍ନୀ ରାଜଶ୍ରୀଙ୍କ ପ୍ରତି ଦଳୀୟ ସମର୍ଥନ ବୃଦ୍ଧି ପାଇଛି….

ପାଟନା: ବୁଧବାର ଅପରାହ୍ନରେ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଉପ-ମୁଖ୍ୟମନ୍ତ୍ରୀ ପଦଟି ଆରଜେଡି ପ୍ରତିଷ୍ଠାତା ଲାଲୁ ଯାଦବଙ୍କ ପରିବାରକୁ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଯଦିଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ସେଭଳି ଖବର ଗଣମାଧ୍ୟମକୁ ଦିଆଯାଇନି । କିନ୍ତୁ ଯାଦବ ପରିବାରର ଅଧିକାଂଶ ସଭ୍ୟଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଇଥିବାରୁ ତେଜସ୍ୱୀ ଯାଦବଙ୍କ ପତ୍ନୀ ରାଜଶ୍ରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ଗତଥର ଜେଡିୟୁ ଓ ଆରଜେଡି ମେଂଟରେ ତେଜସ୍ୱୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଏଥର ତାଙ୍କ ପତ୍ନୀ ରାଜଶ୍ରୀଙ୍କ ପ୍ରତି ଦଳୀୟ ସମର୍ଥନ ବୃଦ୍ଧି ପାଇଛି । ତେଜସ୍ୱୀଙ୍କୁ ଦଳ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗୋଖାଦ୍ୟ ଦୁର୍ନୀତିରେ ତେଜସ୍ୱୀ ଯାଦବଙ୍କ ସମେତ ପରିବାରର ଅନ୍ୟ ଲୋକଙ୍କ ନାମ ରହିଛି ।

ଏପରିକି ଗତ ନିର୍ବାଚନରେ ବିଜେପି ଗୋଖାଦ୍ୟ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାରୁ ଚଉକି ଚାଲିଯିବା ଆଶଙ୍କାରେ ନୀତୀଶ କୁମାର ଘନିଷ୍ଠ ବନ୍ଧୁ ଲାଲୁଙ୍କ ପରିବାରଠାରୁ ମୁହଁ ବୁଲାଇ ନେବାକୁ ବାଧ୍ୟ ହୋଇଥିଲେ । ଗୋଖାଦ୍ୟ ଦୁର୍ନୀତି ସମୟରେ ରାଜଶ୍ରୀ ଲାଲୁଙ୍କ ପରିବାରର ବୋହୁ ହୋଇ ନଥିଲେ; ତାଙ୍କ ଲୁଗାରେ କୌଣସି ଦାଗ ଲାଗିନି । ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ପାଇଁ ଆରଜେଡିର ବହୁ ତୁଙ୍ଗନେତା ଓ ଯାଦବଙ୍କ ପରିବାର ଭିତରେ କବାଟକିଳା ଆଲୋଚନା ହୋଇଥିଲା ।
ଲାଲୁଙ୍କ ସମେତ ତାଙ୍କ ପରିବାରର ଅଧିକାଂଶ ଲୋକଙ୍କ ନାମରେ ଗୋଖାଦ୍ୟ ଦୁର୍ନୀତି, ରେଳବାଇ ଜମି କେଳେଙ୍କାରୀ ଓ ରେଳବାଇ ନିଯୁକ୍ତି ମାମଲା ବିଚାରାଧୀନ ଅଛି । ଏପରିକି ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ ଓ ବଡ଼ଝିଅ ମିଶା ଭାରତୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ସିବିଆଇ । ସବୁ ଦୃଷ୍ଟିରୁ ଦେଖିଲେ, ରାଜଶ୍ରୀ ହିଁ ଉପ-ମୁଖ୍ୟମନ୍ତ୍ରୀ ପାଇଁ ଉପଯୁକ୍ତ । ସାତୋଟି ଦଳିଆ ଗୋଠରୁ କାହା ଭାଗରେ କେଉଁ ପଦବୀ ପଡ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।