ନୂଆଦିଲ୍ଲୀ: କରୋନା ମହାମାରୀ କାଳ ମଧ୍ୟରେ ବିଭିନ୍ନ ରାଜ୍ୟରେ ଆଜିଠାରୁ ସ୍କୁଲ ଖୋଲିବାକୁ ମିଳିଛି ଅନୁମତି। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ଖୋଲିଛି ସ୍କୁଲ । ତୋଟି ନିର୍ଦ୍ଦେଶାବଳୀ ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି ।
ତେବେ କରୋନାଭାଇରସ କାରଣରୁ ଦେଶରେ ମାର୍ଚ୍ଚ ମାସଠାରୁ ଲକଡାଉନ୍ ଲାଗୁ ହୋଇଥିଲା । ତେବେ ବର୍ତ୍ତମାନ ଦେଶରେ ଅନଲକ୍ ପ୍ରକ୍ରିୟା ଜାରି ରହିଛି। ଏହି ଅକ୍ଟୋବର ମାସ ଅନଲକ୍ ପ୍ରକ୍ରିୟା ଅଧୀନରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। ଯେଉଁଥିପାଇଁ ଅନେକ ରାଜ୍ୟ ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ଅନେକ ରାଜ୍ୟ ଆଜି ଅକ୍ଟୋବର ୧୯ରୁ ସ୍କୁଲ ଖୋଲିଛନ୍ତି।
ତେବେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ନିମନ୍ତେ ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ସେ ଅନୁଯାୟୀ ରାଜ୍ୟ ମାନେ ସ୍କୁଲ ଖୋଲିବେ । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଗାଇଡଲାଇନ ପ୍ରସ୍ତୁତ କରିଥିବା ବେଳେ ସେସବୁକୁ ପାଳନ କରି ସ୍କୁଲ ଖୋଲାଯିବ।
ଗାଇଡଲାଇନ ଅନୁଯାୟୀ ରାଜ୍ୟ ଗୁଡିକରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳରେ ସ୍କୁଲ ଖୋଲିବ ନାହିଁ। ତେବେ କେବଳ କଣ୍ଟେନମେଣ୍ଟ ବାହାରେ ହିଁ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମ ରାଜ୍ୟରେ ୯ ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିବ ଏବଂ କେବଳ ପିତାମାତାଙ୍କ ଅନୁମତି କ୍ରମେ ପିଲାମାନେ ବିଦ୍ୟାଳୟକୁ ଆସିପାରିବେ।
ସେହିପରି କରୋନା ମହାମାରୀ ନିୟମାବଳୀ ସଠିକ ଭାବରେ ପାଳନ କରାଯାଇ ସ୍କୁଲ ଖୋଲିବ। ଗାଇଡଲାଇନ ଅନୁସାରେ, ସ୍କୁଲ ପରିସର ତଥା ଶ୍ରେଣୀ ପରିସରରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ। ଅଭିଭାବକମାନେ ନିଜେ ନିଜ ପିଲାଙ୍କୁ ଆଣି ସ୍କୁଲରେ ଛାଡିବାକୁ ଚେଷ୍ଟା କରିବେ। ପିଲାମାନଙ୍କ ୟୁନିଫର୍ମ ଫୁଲ୍ ସ୍ଲିଭ୍ ସାର୍ଟ, ଫୁଲ୍ ପ୍ୟାଣ୍ଟ, ଜୋତା ଏବଂ ମୋଜା ପିନ୍ଧିବାକୁ ବାଧ୍ୟ। ଶ୍ରେଣୀ ଗୃହରେ ମାସ୍କ ବାହାର କରିବାକୁ ଅନୁମତି ଦିଆଯିବ ନାହିଁ।
ସେହିପରି ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଆସବାବପତ୍ର, ଷ୍ଟେସନାରୀ, କ୍ୟାଣ୍ଟିନ, ଲ୍ୟାବ ଏବଂ ସମଗ୍ର କ୍ୟାମ୍ପସ ଏବଂ ଶ୍ରେଣୀଗୃହକୁ ନିୟମିତ ସାନିଟାଇଜ କରାଯିବ। କେବଳ ୫୦ ପ୍ରତିଶତ ପିଲା ଗୋଟିଏ ଶ୍ରେଣୀରେ ବସିବେ। ବାକି ପିଲାମାନେ ତା’ପର ଦିନ ସ୍କୁଲ ଆସିବେ । ପିଲାମାନଙ୍କ ମଧ୍ୟରେ ୬ ଫୁଟ ଦୂରତା ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ କୌଣସି ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ବିନା ବିଦ୍ୟାଳୟକୁ ଆସିପାରିବେ ନାହିଁ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ସ୍କୁଲରେ ନିୟମିତ କ୍ଲାସ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଚାପ ପକାଯିବ ନାହିଁ । ଏଥିସହ ସ୍କୁଲରେ ପୂର୍ବ ପରି ଅନଲାଇନ୍ କ୍ଲାସ୍ ଜାରି ରହିବ।