ବିଜେପି ସରକାରରେ ଶିକ୍ଷାକ୍ଷେତ୍ର କୁ ଗୁରୁତ୍ୱ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଅନ୍ତର୍ଗତ ଜଡ଼ିଚାତରସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଚିତ୍ର ଏବେ ବଦଳିବାରେ ଲାଗିଛି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏହାକୁ ନୂଆ ପରିଚୟ ଦେଇଛି। ବିଜେପି ସରକାରଙ୍କ ଅମଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ବିଦ୍ୟାଳୟ ଏହାର ଏକ ଉଦାହରଣ ପାଲଟିଛି।ବିଦ୍ୟାଳୟର ପ୍ରବେଶ ଗେଟ୍‌ର ସୌନ୍ଦର୍ଯ୍ୟକରଣ, ଗାର୍ଡେନିଂ, ନୂତନ ଶ୍ରେଣୀଗୃହ, ମଲ୍ଟିପର୍ପୋଜ୍ ହଲ୍‌, ସ୍ପୋର୍ଟସ୍ କୋର୍ଟ, ବାଉଣ୍ଡାରି ୱାଲ୍‌, ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ଏବଂ ଚଟାଣରେ ଟାଇଲ୍ସ ବିଛାଇବା ଭଳି ବିଭିନ୍ନ କାର୍ଯ୍ୟ ବିଦ୍ୟାଳୟର ରୂପରେଖ ବଦଳାଇ ଦେଇଛି। ସୁନ୍ଦର ଫୁଲ ବଗିଚା ଓ ସଫାସୁତୁରା ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିଛି ।

ଏହି ଉନ୍ନତିମୂଳକ କାର୍ଯ୍ୟରେ ନୂତନ ଜେଇ ବିଶ୍ୱଜିତା ନାଏକ ଙ୍କ ତଦାରଖ ଓ ତତ୍ପରତା ଉଲ୍ଲେଖନୀୟ ରହିଛି। ପୂର୍ବରୁ ଅଧୁରା ରହିଥିବା କେତେକ କାର୍ଯ୍ୟ ନୂତନ ଜେଇଙ୍କ ଦାୟିତ୍ୱ ଗ୍ରହଣ ପରେ ଆଗକୁ ବଢ଼ିଥିବା କୁହାଯାଉଛି। ବିଦ୍ୟାଳୟର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ମାପଚୁପ ମଧ୍ୟ ତାଙ୍କ ଦ୍ୱାରା କରାଯାଇଛି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ବିଦ୍ୟାଳୟର ଉନ୍ନତିକରଣକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ବିକାଶମୂଳକ ଯୋଜନା ଜାରି ରହିବ ବୋଲି ମତ ରଖିଛନ୍ତି। କେବଳ ଗୋଟିଏ ବିଦ୍ୟାଳୟ ନୁହେଁ, ପାଟଣା ନିର୍ବାଚନମଣ୍ଡଳୀର ଅନ୍ୟ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇବା ଦିଗରେ ମଧ୍ୟ ଆଗକୁ ଯୋଜନା ରହିଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

ବିଧାୟକଙ୍କ କହିବା ଅନୁଯାୟୀ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ପିଲାମାନେ ମଧ୍ୟ ସହରାଞ୍ଚଳର ପିଲାଙ୍କ ଭଳି ଉନ୍ନତ ଶିକ୍ଷା ଓ ଆଧୁନିକ ସୁବିଧା ପାଇବା ଆବଶ୍ୟକ। ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି, ଖେଳକୁଦ ଓ ଅନ୍ୟାନ୍ୟ ସୁବିଧାର ବିକାଶକୁ ପ୍ରାଥମିକତା ଦିଆଯିବ। ଅନ୍ୟପକ୍ଷରେ, ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ ରହିଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବକେୟା ବିଲ୍ ଶୀଘ୍ର ପ୍ରଦାନ କରିବାକୁ ଦାବି ହୋଇଛି। ବିକାଶ କାର୍ଯ୍ୟ ସହିତ ଆର୍ଥିକ ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛ ଓ ତ୍ୱରିତ ହେଲେ ଆଗାମୀ ଦିନରେ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ  ।