ଇସଲାମାବାଦ: ପାକିସ୍ତାନରେ ବନ୍ୟା ବିଭୀଷିକା ଗମ୍ଭୀର ରୂପ ଧାରଣ କରିଛି । ପ୍ରବଳ ବର୍ଷା ଯୋଗୁ ଅନେକ ଘର, ଗାଁ, ରାସ୍ତା, ବ୍ରିଜ ଭାସିଯାଇଛି । ଗତ ୨୪ ଘଣ୍ଟାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିବା ପରେ ବନ୍ୟାଜନିତ ମୋଟ ମୃତ୍ୟୁସଂଖ୍ୟା ୧,୦୩୩ରେ ପହଞ୍ଚିଛି । ତେବେ ସରକାର ଏହି ତଥ୍ୟ ଦିଆଯାଉଥିଲା ବେଳେ ବାସ୍ତବ ମୃତ୍ୟୁସଂଖ୍ୟା ଏହାଠାରୁ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଦେଶର ସମସ୍ତ ୪ ପ୍ରଦେଶ ସିନ୍ଧ, ପଞ୍ଜାବ, ଖାଇବର- ପାଖତୁନଖ୍ୱା ଓ ବେଲୁଚିସ୍ତାନର ୩ କୋଟି ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୪ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୩ ହଜାର କି.ମି ରାସ୍ତା ଓ ୧୩୦ଟି ବ୍ରିଜ ନଷ୍ଟ ହୋଇଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି ।