ଆପଣ ସବୁବେଳେ ସମସ୍ତଙ୍କୁ ବୋକା ବନାଇପାରିବେ ନାହିଁ: ମମତା

ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ମମତା ବାନାର୍ଜୀ……

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଏଭଳି ଟାର୍ଗେଟ କରାଯାଉଥିବାରୁ ଦିଦି ବିତୃଷ୍ଣାଭାବ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଯଦି ମୁଁ ପୂର୍ବରୁ ଜାଣିଥାନ୍ତି ଯେ ରାଜନୀତି ଏଭଳି ଖରାପ ହୋଇଯିବ ତେବେ ମୁଁ କେବେ ବି ରାଜନୀତିକୁ ଆସିନଥାନ୍ତି । ସୂଚନାଯୋଗ୍ୟ ଇଡି ପକ୍ଷରୁ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରାଯାଇଥିଲା ।

କୋଇଲା ଘୋଟାଲା ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିବା ଜଣାପଡିଛି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ମମତା ବାନାର୍ଜୀ । ନିକଟରେ ଦିଦି ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ‘୨୦୨୪ ଲଢେଇ ମୋର ଶେଷ ଲଢେଇ ହେବ । ଦିଦି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡିକର ଏହା କେବଳ ପ୍ରତିଶୋଧ ନୁହେଁ ବରଂ ଖୋଲାଖୋଲି ହିଂସା ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଆପଣ ସବୁବେଳେ ସମସ୍ତଙ୍କୁ ବୋକା ବନାଇପାରିବେ ନାହିଁ । ଯେଉଁଭଳି ଭାବେ ବିନା ପ୍ରମାଣରେ ଆମକୁ ଗଣମାଧ୍ୟମରେ ବଦନାମ କରାଯାଉଛି, ଯେଉଁଭଳି ଭାଷା ପ୍ରୟୋଗ କରାଯାଉଛି ଏବଂ ସୂତ୍ରର ଦ୍ୱାହି ଦିଆଯାଉଛି ଆପଣଙ୍କୁ ଭାବିବା ଦରକାର ଯେ ଯଦି ଆପଣଙ୍କ ସହ ବି ଏଭଳି କରାଯିବ ତେବେ କଣ ହେବ ।