ଦରମା ନ ମିଳିବାରୁ ବିଷ ପିଇଦେଲେ ୭ କର୍ମଚାରୀ

ବିଷ ପିଇଥିବା କର୍ମଚାରୀମାନଙ୍କ ଜଣେ ସହଯୋଗୀ ଅନୀଲ ନିଗମ କହିଛନ୍ତି…..

ଭୋପାଳ : ଦୀର୍ଘ ୭ ମାସ ହେଲା କାମ କରୁଥିଲେ ମଧ୍ୟ ଦରମା ମିଳୁ ନଥିଲା । ଏଥିପାଇଁ ପରିବାର ସହ ନିଜେ ଚଳିବା ଗୋଟିଏ ଘରୋଇ କମ୍ପାନୀର କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇଥିଲା । ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ କମ୍ପାନୀର ୭ ଜଣ କର୍ମଚାରୀ ବିଷ ପିଇ ଦେଇଛନ୍ତି । ଏହି ୭ ଜଣ କର୍ମଚାରୀ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଘରୋଇ କମ୍ପାନୀର ଫ୍ୟାକ୍ଟ୍ରୀରେ କାମ କରନ୍ତି । ସେମାନେ ଫ୍ୟାକ୍ଟ୍ରୀ ଭିତରେ ହିଁ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ।

ତେବେ ସେମାନଙ୍କୁ ଠିକ୍‌ ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି । ୭ ମାସ ହେଲା କର୍ମଚାରୀମାନଙ୍କୁ ସେମାନଙ୍କ ଦରମା ଠିକ ଭାବେ ମିଳୁ ନଥିଲା । କମ୍ପାନୀ ଦରମା ଦେଉ ନଥିବା ବେଳେ ସେମାନଙ୍କୁ ଆଉ ଗୋଟିଏ ବ୍ରାଞ୍ଚକୁ ବଦଳି କରି ଦିଆଯାଇଥିଲା । ବିଷ ପିଇଥିବା କର୍ମଚାରୀମାନଙ୍କ ଜଣେ ସହଯୋଗୀ ଅନୀଲ ନିଗମ କହିଛନ୍ତି । ବିଗତ କିଛି ମାସ ହେଲାଣି କମ୍ପାନୀ ମ୍ୟାନେଜମେଣ୍ଟ ଆମକୁ ଦରମା ଦେଉନାହିଁ ।

ଏଥିପାଇଁ ଆମେ ଚଳିବାରେ ବହୁତ କଷ୍ଟ ଅନୁଭବ କରୁଛି । ଏହି ଚାପକୁ ସହି ନ ପାରି ଆମର ୭ ଜଣ ବନ୍ଧୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅନ୍ୟପକ୍ଷରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ । ଫ୍ୟାକ୍ଟ୍ରୀରେ କାମ ହେଉଥିଲେ ମଧ୍ୟ କାହିଁକି କମ୍ପାନୀ ତା’ର କର୍ମଚାରୀଙ୍କୁ ଦରମା ଦେଉ ନଥିଲା, ସେକଥା ଜଣାପଡ଼ିନାହିଁ ।