ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହୁଛାୟାରେ ରହି ବିଜେପି ନେତାମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । କର୍ଣ୍ଣାଟକର ଜଣେ ବିଜେପି ବିଧାୟକ ଜଣେ ମହିଳାଙ୍କୁ ଗାଳିଫଜିତ କରି ପିଟିବାକୁ ପଛାଇନାହାନ୍ତି । ଭିଡିଓ ଭାଇରାଲ ପରେ ଲୋକମାନେ ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଭିଡିଓରେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବଲୀ ଜଣେ ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଛନ୍ତି । ଘଟଣା କ’ଣ ବୁଝିଲା ବେଳକୁ ପାଚେରୀ ଭାଙ୍ଗି ଦିଆଯିବା ବିଷୟକୁ ନେଇ ଶୁକ୍ରବାର ସଂପୃକ୍ତ ମହିଳା ବିଧାୟକଙ୍କୁ ଭେଟିଥିଲେ ।
ମହିଳା ଜଣକ ବିଧାୟକଙ୍କୁ ଲିଖିତ ଆବେଦନ ପତ୍ର ଦେବାକୁ ଉଦ୍ୟମ କରିଥିଲେ । ସେତିକି ଘଟଣାରେ ବିଧାୟକ ମହୋଦୟ ହଠାତ୍ ରାଗିଯାଇ ମହିଳାଙ୍କ ହାତରୁ ଆବେଦନ ପତ୍ରଟିକୁ ଛଡ଼ାଇ ନେଇଥିଲେ । ସଂପୃକ୍ତ ମହିଳାଙ୍କୁ ଗିରଫ କରିବା ପାଇଁ ଉପସ୍ଥିତ ପୁଲିସକୁ ଆଦେଶ ଦେଇଥିଲେ । ପୁଲିସ ଉକ୍ତ ମହିଳାଙ୍କୁ ଥାନାକୁ ନେଇଗଲା । ସରକାରୀ କାମରେ ବାଧା ଉପୁଜାଇବା ଅଭିଯୋଗରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସ ପଛାଇଲା ନାହିଁ ।
ସୂଚନା ମୁତାବକ ବିଧାୟକ ଲିମ୍ବାବଲୀ ତାଙ୍କ ବିଧାନସଭା କ୍ଷେତ୍ର ମହାଦେବପୁର ଗସ୍ତରେ ଯାଇ ରାଜକାଲୁ ଇଲାକାରେ ପହଂଚିଥିଲେ । ଗତ ସପ୍ତାହ ଧରି ପ୍ରବଳ ବର୍ଷା କାରଣରୁ ସଂପୃକ୍ତ ଇଲାକା ପାଣିରେ ବୁଡ଼ି ରହିଥିଲା । ବିଧାୟକଙ୍କ ଆଚରଣକୁ ସମାଲୋଚନା କରି କଂଗ୍ରେସର ରାଜ୍ୟ ସଭାପତି ଡିକେ ଶିବକୁମାର କହିଛନ୍ତି ଯେ ଲିମ୍ବାବଲୀ ବିଧାୟକ ହେବାକୁ ଅଯୋଗ୍ୟ । ତହୁଁ ଲିମ୍ବାବଲୀ କହିଛନ୍ତି ଯେ କଂଗ୍ରେସ ନେତା ବର୍ଷାପାଣି ନିଷ୍କାସନ ପାଇଁ ନିର୍ମିତ କେନାଲ ଜମିକୁ ମାଡ଼ି ବସିଛନ୍ତି । ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । କଂଗ୍ରେସ ନେତାମାନେ ପ୍ରଥମେ କେନାଲ ଜମିକୁ ଖାଲି କରନ୍ତୁ । ସଂପୃକ୍ତ ମହିଳାଙ୍କୁ କ୍ଷମା ମାଗିବାରେ ମୋର ଆପତି ନାହିଁ ।