ଅହମଦାବାଦ : ଗୁଜରାଟର ଆରାଭାଲୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ତୀର୍ଥ ଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନେ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ୬ ଯାତ୍ରୀଙ୍କୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ ୭ ଜଣଙ୍କ ସମେତ କାର ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ।
ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ।