ଦିନିକିଆ ଫର୍ମାଟରୁ ଫିଞ୍ଚଙ୍କ ବାଏ ବାଏ

ଏହାପରେ ଫିଞ୍ଚଙ୍କୁ ଆଉ ଦିନିକିଆ ମ୍ୟାଚରେ ଦେଖିବାକୁ ମିଳିବନି…..

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟକୁ ଆରୋନ୍‌ ଫିଞ୍ଚଙ୍କ ବାଏ ବାଏ । ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟ୍‌କା । ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିବା ଆରୋନ ଫିଞ୍ଚ ସନ୍ୟାସ ଘୋଷଣା କରିଛନ୍ତି । ସେ ଆଉ ଦିନିକିଆ ଖେଳିବେ ନାହିଁ । ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ ହେବ । ଏହାପରେ ଫିଞ୍ଚଙ୍କୁ ଆଉ ଦିନିକିଆ ମ୍ୟାଚରେ ଦେଖିବାକୁ ମିଳିବନି ।

ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ ଫିଞ୍ଚ । ଏବେ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି୨୦ ଟିମର ଅଧିନାୟକ ରହିଛନ୍ତି । ତେବେ ଫିଞ୍ଚ ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି । ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୨୧ ଟି-୨୦ ବିଶ୍ୱକପ ଜିତିଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଟି୨୦ ଚାମ୍ପିୟନ ହୋଇଥିଲା । ତେବେ ଦିନିକିଆରୁ ହଠାତ୍‌ ଫିଞ୍ଚଙ୍କ ଅବସରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟପ୍ରେମୀ ।