ଦକ୍ଷିଣ ଆଫ୍ରିକାକୁ ଝଟକା: ମୁଖ୍ୟ କୋଚଙ୍କ ଅଚାନକ ଇସ୍ତଫା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଏକ ବଡ ଝଟକା ଲାଗିଛି । ଏହି ଝଟକା ମୁଖ୍ୟ କୋଚ ମାର୍କ ବାଉଚର ଦେଇଛନ୍ତି । ଆସନ୍ତା ମାସରେ ଖେଳାଯିବ ଟି-୨୦ ବିଶ୍ୱକପ । ଯେଉଁଥି ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ପୂର୍ବତନ କ୍ରିକେଟର ନିଜ ପଦରୁ ଇସ୍ତଫା ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ଗସ୍ତରେ ତିନି ଟିକିଆ ଟେଷ୍ଟ ସିରିଜକୁ ୨-୧ରେ ପରାସ୍ତ ହୋଇଛି । ଏବେସୁଦ୍ଧା ଦକ୍ଷିଣ ଆଫ୍ରିକା ଥରଟିଏ ହେଲେ ବିଶ୍ୱକପ ଚାମ୍ପିଅନ ହୋଇନାହିଁ ।

ବାଉଚରଙ୍କ ଇସ୍ତଫା ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ କହିଛି ଯେ, ମୁଖ୍ୟ କୋଚ ବାଉଚର ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ପଦ ଛାଡିବେ । ବୋର୍ଡ ଆହୁରି କହିଛି ଯେ, ବାଉଚର ଅନ୍ୟ ଭଲ ସୁଯୋଗ ଓ ବ୍ୟକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଛନ୍ତି । କ୍ରିକେଟ ଦକ୍ଷିଣ ଆଫ୍ରିକା ଏଖବର ପରେ ଦୁଃଖିତ ଅଛି । ବୋର୍ଡ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛି । ଭବିଷ୍ୟତ ପାଇଁ ବାଉଚରଙ୍କୁ ଅନେକ ଅନେକ ଶୁଭକାମନା । ସୂଚନାଯୋଗ୍ୟ ବାଉଚର ୨୦୧୯ରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ ପଦ ସମ୍ଭାଳିଥିଲେ ।