ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ପାକ୍ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ କରାଯାଇଛି । ଗୁଳି ଚଳାଇଥିବା ବ୍ୟକ୍ତି କି ସଂସ୍ଥା ସମ୍ପର୍କରେ ଅଦ୍ୟାବଧି ସୁରାକ୍ ମିଳିନାହିଁ । ଇମ୍ରାନ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷିତ ହେବାପରେ ତାଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜକୋଷରୁ ପାଣ୍ଠି ହେରଫେର ଅଭିଯୋଗରେ ନିର୍ବାଚନ କମିଶନ ତାଙ୍କୁ ଦୋଷୀ ପ୍ରମାଣିତ କରିଛି ।
ନିର୍ବାଚନ କମିଶନଙ୍କ ପଦକ୍ଷେପରେ ଗଭୀର କ୍ଷୋଭ ପ୍ରକାଶ କରି ପାକିସ୍ତାନର ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲାବେଳେ ଇମ୍ରାନ ବିଦେଶ ଗସ୍ତରେ ଯାଇ ବହୁ ମୂଲ୍ୟବାନ ଉପହାର ଗ୍ରହଣ କରିଥିଲେ । ନିୟମ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ପାଇଥିବା ଉପହାର ନିଲାମ ବାବଦ ଅର୍ଥରାଶି ରାଜକୋଷରେ ଜମା କରି ଦିଆଯାଏ । ମାତ୍ର ଇମ୍ରାନ ଉପହାର ନିଲାମ ବାବଦ ଅର୍ଥରାଶିକୁ ବ୍ୟକ୍ତିଗତ ପାଣ୍ଠିରେ ଜମା କରିଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦସ୍ତାବିଜ ରହିଛି । ରାଜକୋଷରୁ ମୂଲ୍ୟବାନ ଉପହାର ନେଇ ସେଗୁଡ଼ିକୁ ଦୁବାଇରେ ୧୪ କୋଟି ଟଙ୍କା ବିନିମୟରେ ବିକିଥିଲେ ଇମ୍ରାନ୍ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଅଭିଯୋଗ କ୍ରମେ ନିର୍ବାଚନ କମିଶନ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।