ହକି ବିଶ୍ୱକପ୍‌: ଉଦ୍‌ଘାଟନୀ ସରିଲା, ଚାଲିଛି ସୁନ୍ଦରୀ ଅଭିସାର

ଦୁଇମାସ ଭିତରେ କାନ୍ଥରେ ଚିତ୍ରାଙ୍କନ ସରିଲାନି…

ଭୁବନେଶ୍ୱର: ସରିଯିବ ହକି ବିଶ୍ୱକପ୍‌ । ହେଲେ ସରିବନି ହକି ବିଶ୍ୱକପ୍‌ ଆୟୋଜନ । ହକି ବିଶ୍ୱକପ୍‌ ସମୟରେ ରାଜଧାନୀରେ ପାଦ ପକାଉଥିବା ପର୍ଯ୍ୟଟକ ଓ ଦର୍ଶକମାନେ ଯେପରି ଘଡ଼ିଏ ଅନାଇବେ, ସେହି ଲକ୍ଷ୍ୟରେ ନଭେମ୍ବରରୁ ଆରମ୍ଭ କରାଯାଇଥିବା କାମ ଏ ଯାଏ ସରିଲାନି । ବିଏମ୍‌ସି, ବିଡିଏ, ପୂର୍ତ, ପର୍ଯ୍ୟଟନ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌, ରାଜପଥ କର୍ତୃପକ୍ଷ, ଟାଟା ପାୱାର, କ୍ରୁଟ୍‌, ୱାଟ୍‌କୋ, ଗେଲ୍‌ ଓ ପୁଲିସ ବିଭାଗର ମିଳିତ ଉଦ୍ୟମ ୧୩ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ଫଳପ୍ରସୂ ହୋଇପାରିବନି ।

କଟକର ଉଦ୍‌ଘାଟନୀ ଉତ୍ସବ ସାଙ୍ଗକୁ ରାଜଧାନୀରେ ରଙ୍ଗବୋଳା କାମ ବେଶ ମାନୁଛି । ସାଇକେଲ ଟ୍ରାକରେ ରଙ୍ଗ ଲଗାଯାଉଛି । ଫୁଲଗଛ ପୋତା ଚାଲିଛି । ଦୁଇମାସ ଭିତରେ କାନ୍ଥରେ ଚିତ୍ରାଙ୍କନ ସରିଲାନି । ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟନୀ ଚାଲିଯିବେ ସିନା, ହେଲେ ରାଜଧାନୀର ସୌନ୍ଦର୍ଯ୍ୟକୁ ଭଲ ଭାବେ ଦେଖି ପାରିବେନି । ଜାନୁଆରୀ ୫ ତାରିଖ ସୁଦ୍ଧା ପର୍ଯ୍ୟଟନ ସ୍ଥଳୀରେ ବହୁବିଧ ସୁବିଧା ଉପଲବ୍ଧ କରିବା ଲକ୍ଷ୍ୟ ଥିଲା ।

ମାତ୍ର ଅସ୍ଥାୟୀ ପର୍ଯ୍ୟଟକ ସୂଚନା କେନ୍ଦ୍ର ଖୋଲିନି । ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ପର୍ଯ୍ୟଟନ ସୂଚନା କେନ୍ଦ୍ର ଖୋଲିନି । ଇତିମଧ୍ୟରେ ଭୁବନେଶ୍ୱର ଷ୍ଟେସନରେ ବହୁସଂଖ୍ୟକ ହକିପ୍ରେମୀ ପହଂଚିବା ଆରମ୍ଭ କରିଛନ୍ତି । ରାଉରକେଲା ଓ ଭୁବନେଶ୍ୱର ଯିବାଆସିବା କରୁଛନ୍ତି ।

ସୂଚନା କେନ୍ଦ୍ର ନପାଇ ହଡ଼ବଡ଼ ହେଉଛନ୍ତି । ପୁଲିସଠାରୁ ସଠିକ୍‌ ସୂଚନା ପାଉନାହାନ୍ତି । ବିମାନ ବନ୍ଦରରୁ ନାଲକୋ ଛକ ରାସ୍ତାରେ ଗଛ ରୋପଣ ଚାଲିଛି । ରାଜଧାନୀର ପ୍ରମୁଖ ରାସ୍ତାକୁ ସବୁଜିମା କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଅଧିକାଂଶ କମ୍ପାନୀର ଉଦାସୀନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପର୍ଯ୍ୟଟକଙ୍କ ଦୃଷ୍ଟିରେ ନୀଚା ଦେଖାଇବାକୁ ଚାହୁଁଛନ୍ତି ।