ଗଂଜାମ ଜିଲ୍ଲା ଚାଷ ଜମି ଜଳମଗ୍ନ,ଚିନ୍ତାରେ ଚାଷୀ

ଗଂଜାମ(ସାକ୍‌ସୀ ନ୍ୟୁଜ୍‌): ଆସିକା ଅକବାନ ପ୍ରଭାବରେ ଧରାକୋଟ ବ୍ଲକ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ତିନି ଦିନ ଧରି ବ୍ୟାପକ ଧାନ ଫସଲ ଜମିରେ ପାଣି ଜମି ରହିଛି। ଯାହାଫଳରେ ପାଚିଲା ଧାନ ନଷ୍ଟ ହୋଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଧାନ ଫସଲ ଅମଳ କରିପାରୁନାହାନ୍ତି। ଗତ ଅର୍ଣବ ସମୟରେ ଅଞ୍ଚଳର ନଦୀ, କେନାଲ ହିଡ଼ ସବୁ କ୍ଷତିଗ୍ରସ୍ତ ହୋଇରହିଥିବା ବେଳେ ସେଗୁଡ଼ିକ ମରାମତି ହୋଇପାରିନାହିଁ। ଏହାର ମାତ୍ର 20 ଦିନ ପରେ ଚଳିତ ଆକବନ ଜନିତ ବର୍ଷାରେ ଧରାକୋଟ, ମୁଣ୍ଡମରାଇ, ସରଧା ପୁର, ଢ଼ଉଗାଁ,ବରଡ଼ାବିଲି, ବାହାରପୁର, ରୁଗୁମୁ, ଓଳମ୍ୱା, ଯାହାଡ଼ା, ସିଙ୍ଗିପୁର,ଜଗମୋହନ ସମେତ ଝାଡବନ୍ଧ, ଝରପାରି, ରେଡ୍ଡୀ ଦାମୋଦର ପଲ୍ଲୀ, ମଛାକୋଟ,ମାଣିକ ପୁର, ସାବା, ବଳରାମପୁର ପଞ୍ଚାୟତର ଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏହା ମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଆକଳନ ଆରମ୍ଭ ହୋଇଛି। ଲଘୁଚାପ ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଚାଷୀ ଉପରେ ଦାଉ ସାଧିଛି। ଋଷିକୁଲ୍ୟା, ଆଗୁଳ ନାଳ ,ନନ୍ଦିନୀ ନାଳ, ଋଷିକୂଲ୍ୟା ମୁଖ୍ୟ କେନାଲ, ମହାନଦୀ କେନାଲ ରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଯୋଗୁଁ ବିସ୍ତିର୍ଣ ଅଞ୍ଚଳ ବାଲିଚର ହୋଇଯାଇଛି। ବର୍ଷକର ଫସଲ ଉଜୁଡ଼ି ଯାଇଥିବା ଯୋଗୁଁ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ଏଣୁ ସରକାର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।