ବୋଇତ ବନ୍ଦାଣରେ ମହକିବ ଗ୍ରାମୀଣ ଉଦ୍ୟୋଗ: ଚାଷୀ ଓ ମହିଳା SHGଙ୍କୁ ନୂଆ ବଜାର ଦେଉଛି ଓରମାସ

୨୧ ହଜାର କଦଳୀ ପଟୁଆ ବୋଇତ ପ୍ରସ୍ତୁତ; ପରିବେଶ ଅନୁକୂଳ ସାମଗ୍ରୀରେ ଉତ୍ସବ ପାଳନକୁ ପ୍ରୋତ୍ସାହନ

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶାର ଗୌରବମୟ ସାଂସ୍କୃତିକ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବକୁ ଗ୍ରାମୀଣ ଅର୍ଥନୀତି ଓ ଜୀବିକା ସୃଷ୍ଟିର ଏକ ନୂତନ ସୁଯୋଗରେ ପରିଣତ କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ)। ଉତ୍ସବର ପାରମ୍ପରିକ ଆକର୍ଷଣକୁ ଗ୍ରାମାଞ୍ଚଳର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତୀକରଣ ସହ ଯୋଡ଼ି ଓରମାସ ଏକ ଅଭିନବ ଜୀବିକା ମଡେଲ୍‌ର ରୂପାୟନ କରିଛି। ଏହାଦ୍ୱାରା ପାରମ୍ପରିକ ବୋଇତ ପ୍ରସ୍ତୁତିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର ସହ ଗ୍ରାମୀଣ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିଛି ।

ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଇଁ କଦଳୀ ଗଛର ପଟୁଆରୁ ୨୧ ହଜାର ପରିବେଶ ଅନୁକୂଳ ବୋଇତ ଖଣ୍ଡ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟରେ ୪ରୁ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୦ରୁ ୫୦ ଜଣ ସଦସ୍ୟା ନିୟୋଜିତ ହୋଇଛନ୍ତି। ବୋଇତ ପ୍ରସ୍ତୁତି ବାବଦରେ ସେମାନଙ୍କୁ ଆନୁମାନିକ ୯୦ ହଜାର ଟଙ୍କାର ପାରିଶ୍ରମିକ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ମହିଳାମାନଙ୍କ ପାଇଁ ଉତ୍ସବ ଆଧାରିତ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି ହେବା ସହ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ମଧ୍ୟ ପ୍ରୋତ୍ସାହନ ମିଳିଛି ।

ଏହି ପଦକ୍ଷେପ ମାଧ୍ୟମରେ କଦଳୀ ଚାଷୀଙ୍କ ପାଇଁ ମଧ୍ୟ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି ହୋଇଛି। ଅନୁଗୁଳ ଜିଲ୍ଲାର କ୍ରପିଫାଇ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ଜରିଆରେ ୩୫୦ରୁ ୪୦୦ କାନ୍ଦି କଦଳୀ ବିକ୍ରି କରାଯାଇ ୧ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ବ୍ୟବସ୍ଥା ରହିଛି। ଏଥିସହ ୭୫୦ଟି କଦଳୀ ଗଛ କାଟିବା ପରେ ପୂର୍ବରୁ ଅବ୍ୟବହୃତ ହୋଇ ନଷ୍ଟ ହେଉଥିବା ପଟୁଆର ଉପଯୋଗ କରାଯାଇଛି। ଏହି ପଟୁଆ ଯୋଗାଣ ବାବଦରେ ଚାଷୀମାନେ ଅତିରିକ୍ତ ୭,୫୦୦ ଟଙ୍କା ଆୟ କରିଛନ୍ତି। ଅନୁଗୁଳରୁ ସଂଗୃହୀତ ଏହି କଦଳୀ ପଟୁଆ କଟକକୁ ଯୋଗାଇ ଦିଆଯାଇଛି, ଯେଉଁଠାରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ପରିବେଶ ଅନୁକୂଳ ବୋଇତ ପ୍ରସ୍ତୁତ ହୋଇଛି ।

ମାନ୍ୟବର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ଆମର ପର୍ବପର୍ବାଣୀ କେବଳ ସାଂସ୍କୃତିକ ପରମ୍ପରାର ପରିଚୟ ନୁହେଁ, ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାର ମଧ୍ୟ ଏକ ମାଧ୍ୟମ । ବୋଇତ ବନ୍ଦାଣ ଭଳି ଆମର ଗୌରବମୟ ପରମ୍ପରା ସହ ଗ୍ରାମୀଣ ଉଦ୍ୟୋଗ ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଯୋଡିବାର ଓରମାସର ଏହି ପଦକ୍ଷେପ ନିଶ୍ଚିନ୍ତ ପ୍ରଶଂସନୀୟ। ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ କହିଛନ୍ତି, “ଏହି ପ୍ରୟାସ ମାଧ୍ୟମରେ ସ୍ଥାନୀୟ କୃଷିଜାତ ସମ୍ବଳର ଉଚିତ ଉପଯୋଗ ସହ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ନୂତନ ବଜାର ସୁଯୋଗ ସହ ଯୋଡ଼ାଯାଇଛି। ଓରମାସ ଏଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକଙ୍କ ପାଇଁ ବଜାର ସଂଯୋଗ ଓ ନୂତନ ଜୀବିକାର ପଥ ଉନ୍ମୁକ୍ତ କରିବା ଜାରି ରଖିବ ।