ହେ ରାମ ! ଏହି ଜଗତ କ୍ୟାନ୍ସର ରୋଗ ପରି ଭୟାବହ ଅଟେ।
'ମୋକ୍ଷ ମୂଳମ୍ ଗୁରୁ କୃପା'
ବିବେକ– ହେ ରାମ ! ଏହି ଜଗତ କ୍ୟାନ୍ସର ରୋଗ ପରି ଭୟାବହ ଅଟେ। ମହାଦୁଃଖର କାରଣ ଅଟେ। ଆତ୍ମଜ୍ଞାନ ହିଁ ଏହାର ଏକ ମାତ୍ର ଔଷଧ ଅଟେ। ଏହା ଅତିରିକ୍ତ ଏହି ସଂସାର ରୋଗରୁ ମୁକ୍ତି ପାଇବାପାଇଁ ଅନ୍ୟ କୌଣସି ଉପାୟ ନାହିଁ।
ମୁରଖ ହୃଦୟ ନ ଚେତ, ଜୋ ଗୁରୁ ମିଲହିଁ ବିରଞ୍ଚି ସମ। ଫୁଲହିଁ ଫଲହିଁ ନ ବେଁତ, ଯଦ୍ୟପି ସୁଧା ବରସ ହିଁ ଜଳଧି।
ବଶିଷ୍ଠ ମୁନି କହିଲେ,-“ହେ ରାମ ! ଯେପରି ମଇଳା ବସ୍ତ୍ର ଉପରେ କୌଣସି ରଙ୍ଗର ପ୍ରଭାବ ପଡେ ନାହିଁ, ସେହିପରି ଅଶ୍ରଦ୍ଧାଳୁ ମନରେ ଜ୍ଞାନର ରଙ୍ଗ ଚଢେ ନାହିଁ। ଯେପରି ଛିଦ୍ର ନ ଥିବା ମୋତିରେ ସୁତା ପ୍ରବେଶ କରିପାରେ ନାହିଁ, ଠିକ ସେହିପରି ଅହଙ୍କାରୀ ବ୍ୟକ୍ତିର ମନରେ ଜ୍ଞାନ ପ୍ରବେଶ କରିପାରେ ନାହିଁ। ହେ ରାମ ! ଯେବେ ପର୍ଯ୍ୟନ୍ତ ସଦଗୁରୁଙ୍କ ଉପଦେଶ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଜାଗ୍ରତ ନ ହୋଇଛି ଏବଂ ତାଙ୍କ ଉପଦେଶର ଦୃଢ଼ ଅଭ୍ୟାସ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ସାକ୍ଷାତ ବ୍ରହ୍ମା ଆସି ଉପଦେଶ ଦେଲେ ମଧ୍ୟ ସେହି ଅଜ୍ଞାନୀ ଜୀବକୁ ଜ୍ଞାନ ପ୍ରାପ୍ତି ହୋଇପାରିବ ନାହିଁ କାରଣ ଆତ୍ମା ପରସଂବେଦ ନୁହେଁ, ଏହା ସ୍ୱସଂବେଦ ତତ୍ତ୍ୱ ଅଟେ। ଆତ୍ମା ନିଜ ଦ୍ୱାରା ହିଁ ଜଣାଯାଏ। ଆତ୍ମା ସ୍ୱତଃ ସିଦ୍ଧ ସ୍ୱରୂପ ଅପ୍ରମେୟ ହୋଇଥିବାରୁ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ସର୍ବଦା ଅଗ୍ରାହ୍ୟ ଅଟେ।
ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ। ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ। ୨/୧୮।। ଗୀତା
ଆତ୍ମା ନିଜ ଦ୍ୱାରା ନିଜକୁ ହିଁ ଜାଣେ। ସେ ନିଜେ ହିଁ ନିଜେ। ସେ କୌଣସି ଇନ୍ଦ୍ରିୟ, ମନ, ବୁଦ୍ଧି ଆଦିର ପ୍ରାପ୍ତବ୍ୟ ବିଷୟ ନୁହେଁ।
ରାମ ପଚାରିଲେ – ହେ ଭଗବନ ! ଯଦି ଏହି ଆତ୍ମା ନିଜ ଦ୍ୱାରା ନିଜେ ହିଁ ଜଣାଯାଏ, ତେବେ ଗୁରୁ ଓ ଶାସ୍ତ୍ର କାହିଁକି ଉପଦେଶ ଦିଅନ୍ତି ? ବଶିଷ୍ଠ କହିଲେ – ହେ ରାମ ! ଜୀବର ମନ, ବୁଦ୍ଧିରେ ମଳ, ବିକ୍ଷେପ,ଆବରଣ ନାମକ ତିନିଟି ଦୋଷର ନିବୃତ୍ତି ଏବଂ ଭେଦଭ୍ରାନ୍ତି , କର୍ତ୍ତା-ଭୋକ୍ତା ଭ୍ରାନ୍ତି, ସଙ୍ଗ ଭ୍ରାନ୍ତି, ବିକାର ଭ୍ରାନ୍ତି ତଥା ବ୍ରହ୍ମ ଠାରୁ ପୃଥକ ଜଗତ ସତ୍ୟ ଭ୍ରାନ୍ତିକୁ ହଟାଇବା ପାଇଁ ଗୁରୁ ଓ ଶାସ୍ତ୍ରର ଆବଶ୍ୟକତା ଅଛି। ତୋର ସ୍ୱରୂପ ହିଁ ଆତ୍ମା ଅଟେ ବୋଲି ଗୁରୁ ବୋଧ କରାଇଦିଅନ୍ତି। କିନ୍ତୁ ନିଜର ଆତ୍ମସ୍ୱରୂପକୁ ‘ଏହା’ ରୂପରେ ଅର୍ଥାତ ଭିନ୍ନ ଦୃଶ୍ୟ ରୂପରେ ଜଣାଯାଇପାରିବ ନାହିଁ। ବିଚାର ନେତ୍ରରେ ନିଜ ଦ୍ୱାରା ନିଜକୁ ଜଣାଯାଇପାରିବ। ଗୁରୁଙ୍କ ଦ୍ୱାରା ହିଁ ଆତ୍ମପଦର ପ୍ରାପ୍ତି ହୁଏ , ଏହା ଵିନା ହୁଏ ନାହିଁ। ‘ମୋକ୍ଷ ମୂଳମ୍ ଗୁରୁ କୃପା’। ଗୁରୁ ବିନ ଭଵ ନିଧି ତରଇ ନ କୋଇ… ଜୋ ବିରଞ୍ଚି ଶଙ୍କର ସମ ହୋଇ।
ହେ ରାମ ! ଧନ , ପୁତ୍ର , ବୈରାଗ୍ୟ , ତପସ୍ୟା, ତୀର୍ଥାଟନ, ଧ୍ୟାନ ବା କର୍ମ ଦ୍ୱାରା ଆତ୍ମା ପ୍ରାପ୍ତ ହୁଏ ନାହିଁ, ଏହା ତ କେବଳ ନିଜ ରୂପରେ ହିଁ ସଦଗୁରୁଙ୍କ ପ୍ରଦତ୍ତ ଜ୍ଞାନ ଦ୍ୱାରା ଆତ୍ମା ନିତ୍ୟ ପ୍ରାପ୍ତ ରୂପରେ ଅନୁଭବ ହୁଏ। ନ କର୍ମଣା ନ ପ୍ରଜୟା ଧନେନ ତ୍ୟାଗେନୈକେ ଅମୃତତ୍ତ୍ୱମନଶୁଃ। ପରେଣ ନାକଂ ନିହିତଂ ଗୁହାୟାଂ ବିଭ୍ରାଜତେ ଯଦ୍ୟତୟୋ ବିଶନ୍ତି।। କୈବଲ୍ୟ ଉପନିଷଦ..