ସାବଧାନ କୋଚିଂ ସେଂଟର: କମ୍‌ ବୟସର ଛାତ୍ରୀଛାତ୍ରଙ୍କୁ ମନା

ନୂଆଦିଲ୍ଲୀ: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉତୀର୍ଣ୍ଣ ପିଲାମାନେ କୋଚିଂ ସେଂଟରରେ ନାମ ଲେଖାଇପାରିବେ । ମାତ୍ର ୧୬ ବର୍ଷରୁ କମ୍‌ ବୟସର ଛାତ୍ରୀଛାତ୍ରଙ୍କ ନାମ ଲେଖାଇବା ପ୍ରତି କଟକଣା ଜାରି କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । କୋଚିଂ ସେଂଟରରେ ଅଧ୍ୟୟନରତ କିଛି ଛାତ୍ରୀଛାତ୍ର ମାନସିକ ଆଘାତ କାରଣରୁ ଆତ୍ମହତ୍ୟା କରୁଥିବା ଖବର ସରକାରଙ୍କ କାନରେ ପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି କୋଚିଂ ସେଂଟରକୁ ସରକାରଙ୍କ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

କୌଣସି କୋଚିଂ ସେଂଟର ମିଛ ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀଙ୍କୁ ନାମ ଲେଖିବା ପାଇଁ ପ୍ରଲୋଭିତ କରିବେନି । କୋଚିଂ ସେଂଟରରେ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିବା ଜରୁରୀ । କୋଚିଂ ସେଂଟରରେ ଶିକ୍ଷିତ ଅପରାଧିଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତ କରାଯିବନି । କୋଚିଂ ସେଂଟର ପକ୍ଷରୁ ଛାତ୍ରୀଛାତ୍ରଙ୍କ ଉପରେ ପାଠ ଚାପ ପକାଯିବନି ।