ଅଣଓଡ଼ିଆ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଂଟ

ଭୁବନେଶ୍ୱର: ରାଜଧାନୀର ଆପାର୍ଟମେଂଟ ଉପରେ ଅଣଓଡ଼ିଆ ଲୁଟେରାଙ୍କ ତୀକ୍ଷ୍ଣ ନଜର ପଡ଼ିଛି ବୋଲି କମିଶନରେଟ ପୁଲିସ ସୂତ୍ରରୁ ପ୍ରକାଶ ।ନୟାପଲ୍ଲୀ ନିରୁପମା ଆପାର୍ଟମେଂଟ ଲୁଟ ମାମଲାର ତଦନ୍ତ କରି ପୁଲିସ ଦୁଇଜଣ ଲୁଟେରାଙ୍କୁ ଧରିଛି । ଦୁଇ ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଗୋଟିଏ ନମ୍ବର ବିହୀନ ଗାଡ଼ି ଓ ମୋବାଇଲ ଜବତ କରିଛି ।

ଆପାର୍ଟମେଂଟ ଲୁଟିବା କାମରେ ୨୦ରୁ ୨୫ ଜଣ ତାଲିମପ୍ରାପ୍ତ ଲୁଟେରା ଅଛନ୍ତି । ଲୁଟେରାଙ୍କ ଦଳ ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣାରେ ସକ୍ରିୟ ଥିବା ଆଶଙ୍କା କରାଯାଉଛି ।ଗତ ୫ ମାସରେ ଚନ୍ଦକା, ଇନଫୋସିଟି, ଭରତପୁର, ମଂଚେଶ୍ୱରସ୍ଥିତ ଆପାର୍ଟମେଂଟରୁ ଲୁଟପାଟ କରାଯାଇଥିବା ଅଭିଯୋଗ ପୁଲିସର ଦୃଷ୍ଟିକୁ ଅଣାଯାଇଥିଲା । ପୁଲିସ ଅଭିଯୁକ୍ତମାନଙ୍କୁ ଧରି ପାରିଲାନି ।

ଫଳରେ ଆପାର୍ଟମେଂଟ ବାସିନ୍ଦା ସହର ସାରା ବୁଲିବୁଲି ଅଭିଯୁକ୍ତ ଫଟୋ ମାରିଥିଲେ ।ସାଧାରଣ ଲୋକଙ୍କ ଏପରି ଉଦ୍ୟମ ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଧରା ପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ ଭିତରୁ ଜଣେ ଗୁଜରାଟର ଦିନେଶ କୁମାର ଶାହ ଓ ଅନ୍ୟ ଜଣକ ହରିୟାଣାର ପବନ କୁମାର । ପୁଲିସ ସେମାନଙ୍କ ନିକଟରୁ ଅନ୍ୟ ଅଭିଯୁକ୍ତଙ୍କ ଠିକଣା ଜାଣିବାକୁ ଚେଷ୍ଟା କରୁଛି ।