ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା
୧୧୬ ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ
୨୫୭୩୭୬ ପ୍ରାଣୀ ପ୍ରଭାବିତ, ୮୫୯୧ ପ୍ରାଣୀ ଚିକିତ୍ସିତ…
ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପୁଜିଥିବା ବନ୍ୟାରେ ୨୫୭୩୭୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଏଥିରେ ୧୧୮୪୭୯ ଗାଈ ଗୋରୁ ମଇଁଷି ଏବଂ ୧୩୮୮୯୭ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୧୧୫୬୪୯ କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ୧୨୬ ଗାଈ ଗୋରୁ ମଇଁଷି, ୪୦୬ ଛେଳି ମେଣ୍ଢା ଏବଂ ୯୭୦୦୩ କୁକୁଡ଼ାଙ୍କର ଜୀବନ ହାନି ହୋଇଛି। ସମୁଦାୟ ୧୩୩୨୦ ଜଣ ପ୍ରାଣିପାଳକ ପ୍ରଭାବିତ ହୋଇଛନ୍ତି । ୧୯୧୮ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇ ୩୧ ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି ।
ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୭୨ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୧୧୬ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ୧୯୫୮୨ ପ୍ରାଣୀଙ୍କ ବାତ୍ୟା ପରବର୍ତ୍ତୀ ଟିକାକରଣ ହୋଇଛି।ଗଞ୍ଜାମ ଜିଲ୍ଲାକୁ ୨୦୧.୪ ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୮୭ ମେଟ୍ରିକ ଟନ ବଣ୍ଟନ ସରିଛି। ଏହା ସହ ୫୩.୫୩ କ୍ଵିଣ୍ଟାଲ ସବୁଜ ଚାରା, ୪୨.୪୧ କ୍ଵିଣ୍ଟାଲ ରାଇସ୍ ବ୍ରାନ୍ (କୁଣ୍ଡା) ଯୋଗାଇ ଦିଆଯାଇଛି। ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ମହଜୁଦ ଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି। ବ୍ଲକ୍, ସବଡିଭିଜନ୍ ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ପ୍ରାଣିପାଳକଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଜରୁରୀକାଳୀନ ସେବା ପାଇଁ ୨୩ ଗୋଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୫୫ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।