କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ଗତ ଆଠ ଦିନ ଧରି ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ୧-୧୧-୨୦୨୬ ରେ ଉଦଯାପିତ ହୋଇଯାଇଛି । ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଓ ମାଆ ମାଉସୀଙ୍କ ଉପସ୍ଥିତିରେ ଧନ ଦାତ୍ରୀ ମାଆ ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଆୟୋଜିତ ହୋଇଥିଲା। ୧୯୬୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ଆଠଦିନ ଧରି ପାଳିତ ହୋଇଥିଲା। ବିଭିନ୍ନ ସନ୍ଧ୍ୟାରେ ସତ୍ୟନାରାୟଣ ପାଲା, ନୈବେଦ୍ୟ ଡାନ୍ସ ଗ୍ରୁପ , ତୁରୁମୁଙ୍ଗାର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ, ମହାବୀର ଭଜନ ଗ୍ରୁପ, କେନ୍ଦୁଝର ଦ୍ୱାରା ଭଜନ ପରିବେଷଣ, ଏ ଅଞ୍ଚଳର କୁନି କୁନି ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଏକକ ନୃତ୍ୟ ପ୍ରତିଯୋଗିତା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ପ୍ରତ୍ୟେକ ଦିନ ଅପରାହ୍ନରେ ମାଆ ଓ ଝିଅଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା ଲକ୍ଷ୍ମୀ ପୁରାଣ ସମ୍ପର୍କିତ ପ୍ରଶ୍ନୋତ୍ତର , ଝୋଟିଚିତା, ଶଙ୍ଖ ଫୁଙ୍କା, ଅନ୍ଧପୁଟୁଳି, ସଙ୍ଗୀତ ଚୌକି , ବେଲୁନ ଫୁଙ୍କା ଆଦି ପ୍ରତିଯୋଗିତା ହୋଇ ଓ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ପୂଜ୍ୟ ପୂଜାର ପର୍ବ ପାଳନ ପୂର୍ବକ ୮୦ ବର୍ଷ ବା ତଦୁର୍ଦ୍ଧ ବୟସ୍କ ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ନିମନ୍ତ୍ରିତ କରି ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ଗ୍ରାମର ଶତାୟୁ ପୁରୁଷ ରାମଚନ୍ଦ୍ର ସେଠୀ ଓ ଶତାୟୁ ମାଆ ମଲ୍ଲୀ ଦେହୁରୀ ସମେତ ୨୮ଜଣ ପୁରୁଷ ବୟୋଜ୍ୟେଷ୍ଠ ଓ ୨୭ ଜଣ ମହିଳା ବୟୋଜ୍ୟେଷ୍ଠ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପୂଜା ମଣ୍ଡପକୁ ଆସି ଆନନ୍ଦିତ ହେବା ସହ କୃତ୍ୟ କୃତ୍ୟ ହୋଇ ତାଙ୍କର ପୁରୁଣା ସ୍ମୃତି ଏବଂ ଅନୁଭୂତି ବଖାଣିଥିଲେ। ଏ ପୂଜାକୁ ଆହୁରି ସରସ ସୁନ୍ଦର କରି ଆଗେଇ ନେବାକୁ କମିଟିର କର୍ମକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ମାଆ ଗଜଲକ୍ଷ୍ମୀଙ୍କ ପୂର୍ବବର୍ଷର ପୂଜା ଶାଢ଼ୀ ନିଲାମ ହୋଇଥିଲା ।
ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତ ଉତ୍ସାହିତ ହୋଇ ଅଂଶ ଗ୍ରହଣ କରିଥିଲେ ଓ ଶେଷରେ ଭକ୍ତ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ୨୫୦୦୧ ଟଙ୍କାରେ ଉକ୍ତ ପୂଜା ଶାଢ଼ୀ ନେଇଥିଲେ। ବିଭିନ୍ନ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଦାନରେ ପ୍ରତ୍ୟେକ ଦିନ ସମସ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିଲା। ତୁରୁମୁଙ୍ଗାର ସମସ୍ତ ଗ୍ରାମବାସୀ, ଏ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ତଥା ପୂଜା କମିଟିର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଆଗ୍ରହ ଏବଂ ଉତ୍ସାହ ପୂର୍ବକ ଆନ୍ତରିକ ସହଯୋଗ କରି ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହୋତ୍ସବକୁ ସଫଳ କରିଥିଲେ ।