ପାଟନା: ବିହାର ରାଜନୀତି ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇଛି । କ୍ଷମତାଲୋଭୀ ନୀତୀଶ କୁମାର ବିଜେପିକୁ ଆଦରି ନେବା ପରେପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ଯାଦବଙ୍କ ପରିବାର ଉପରେ ଇଡି ଚଡ଼କ ପଡ଼ିଯାଇଛି ।
ପ୍ରଥମେ ଲାଲୁଙ୍କୁ ଗୁଡେ଼ଇ ତୁଡେ଼ଇ ପ୍ରଶ୍ନ ପଚାରିବା ପରେ ମଙ୍ଗଳବାର ତାଙ୍କ ପୁଅ ତେଜସ୍ୱୀଙ୍କୁ ଇଡି ଭଲ କରି ଘାଂଟିଥିଲା । ଇଡି ତେଜସ୍ୱୀଙ୍କୁ ପ୍ରାୟ ୬୦ଟି ପ୍ରଶ୍ନ ପଚାରି ଥିଲା । ୨୦୦୪ରେ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲାବେଳେ ‘ଜମି ବଦଳରେ ଚାକିରି’ ଦୁର୍ନୀତିର ସୂତ୍ରଧର ଥିଲେ ବୋଲି ଇଡି କହିଛି ।
ଇଡିର ୧୨ ଜଣ ଅଧିକାରୀ ତେଜସ୍ୱୀକୁ ପ୍ରଶ୍ନବାଣ ମାରିଥିଲେ । ତା’ ଭିତରୁ ପ୍ରମୁଖ ପ୍ରଶ୍ନ ହେଉଛି, ଏତେ କମ୍ ବୟସରେ ବ୍ୟବସାୟ କରିବା ପାଇଁ କିଏ ପରାମର୍ଶ ଦେଇଥିଲେ? କମ୍ପାନୀ ପ୍ରତିଷ୍ଠା କରିବା ପାଇଁ କୋଉ ବାଟରୁ କୋଟିକୋଟି ଟଙ୍କା ସଂଗ୍ରହ କରିଥିଲ? କମ୍ପାନୀ କେବେ ପ୍ରତିଷ୍ଠା କରାଯାଇଥିଲା? କମ୍ପାନୀକୁ ଆପଣଙ୍କ ଅବଦାନ କ’ଣ ଥିଲା?