୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶବ୍ୟାପୀ ଜବତ ହୋଇଥିବା ୪୫ ପ୍ରତିଶତ ଡ୍ରଗ୍ସ ଓ ନିଶାଦ୍ରବ୍ୟ ଉପରେ ଆୟୋଗଙ୍କ ବିଶେଷ ଫୋକସରେ ରହିଛି। ବ୍ୟାପକ ଯୋଜନା, ସହଯୋଗ ବୃଦ୍ଧି ଏବଂ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରତିରୋଧ କାର୍ଯ୍ୟ, ସକ୍ରିୟ ନାଗରିକ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ନିୟୋଜନ ଦ୍ୱାରା ଏହି ଜବତ ସମ୍ଭବ ହୋଇପାରିଛି ।
ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରରେ ଅନୁମତିପ୍ରାପ୍ତ ରାଜନୈତିକ ଖର୍ଚ୍ଚ ସୀମା ଏବଂ ପ୍ରକାଶିତ ସଠିକ ଆର୍ଥିକ ବିବରଣୀ ଠାରୁ ଅଧିକ କଳାଧନର ବ୍ୟବହାର ଦ୍ୱାରା ସମାନ ସୁଯୋଗ ସୃଷ୍ଟି ହେବାରେ ବାଧା ଉତ୍ପନ୍ନ ହୋଇପାରେ । ଅଧିକ ସମ୍ବଳ ସମ୍ପନ୍ନ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ସୃଷ୍ଟି କରାଯାଇପାରେ । ତେଣୁ ପ୍ରଲୋଭନ ଓ ଦୁର୍ନୀତି ମୁକ୍ତ ଲୋକସଭା ନିର୍ବାଚନ କରାଇବା ଏବଂ ସବୁ ପ୍ରାର୍ଥୀ ଓ ଦଳ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ସଂକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ସ୍ୱରୂପ ଏହି ଜବତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ରାଜୀବ କୁମାର ଗତ ମାସରେ ନିର୍ବାଚନ ଘୋଷଣା କରିବା ସମୟରେ ଅର୍ଥ ବଳ ବା ମନି ପାୱାରକୁ ‘୪ଏମ୍’ ଚ୍ୟାଲେଞ୍ଜ ଭାବେ ଦର୍ଶାଇଥିଲେ। ଏପ୍ରିଲ ୧୨ ତାରିଖରେ ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁ ଏପ୍ରିଲ ୧୯ରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା କରିଥିଲେ। ପ୍ରଲୋଭନମୁକ୍ତ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ କଡାକଡ଼ି, ତଦାରଖ ଏବଂ ଚେକିଂ ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ପ୍ରଲୋଭନ ଉପରେ ନଜର ରଖିବା ଏବଂ ନିର୍ବାଚନୀ ଦୁର୍ନୀତିକୁ ରୋକିବା ତଥା କ୍ଷୁଦ୍ର ଓ କମ୍ ଆର୍ଥିକ ସମ୍ବଳ ସମ୍ପନ୍ନ ଦଳମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଲାଗି ନିର୍ବାଚନ ଆୟୋଗଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି ବିପୁଳ ପରିମାଣର ଜବତ ପ୍ରତିଫଳିତ କରୁଛି ।
ତାମିଲନାଡୁର ନୀଳଗିରିରେ ଘଟିଥିବା ଏକ ଘଟଣାରେ କର୍ତ୍ତବ୍ୟରେ ଅବହେଳା ଏବଂ ଜଣେ ବିଶିଷ୍ଟ ନେତାଙ୍କ ଗାଡ଼ିର ପକ୍ଷପାତମୂଳକ ଯାଞ୍ଚ ପାଇଁ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଲିଡରଙ୍କୁ ନିର୍ବାଚନ ଆୟୁକ୍ତ ନିଲମ୍ବିତ କରିଛନ୍ତି। ସେହିଭଳି ଅଧିକାରୀମାନେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଏବଂ ଅନ୍ୟ ରାଜ୍ୟରେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରିଛନ୍ତି । ନିର୍ବାଚନ ପ୍ରଚାରରେ ରାଜନେତାଙ୍କୁ ସହଯୋଗ କରୁଥିବା ପ୍ରାୟ ୧୦୬ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆଚରଣ ବିଧି ଓ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସଂସଦୀୟ ନିର୍ବାଚନ ଘୋଷଣା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି ଶ୍ରୀ ରାଜୀବ କୁମାର ବିସିଏଏସ୍ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମାଗଣା ସାମଗ୍ରୀ ରଖିବା ପାଇଁ ବ୍ୟବହୃତ ଅସ୍ଥାୟୀ ଗୋଦାମ, ଅନ୍ତର୍ଜାତୀୟ ସୀମାପାର୍ ଚେକପୋଷ୍ଟ, ଅଣନିର୍ଦ୍ଧାରିତ ବିମାନ ଓ ହେଲିକପ୍ଟରେ ଆୟକର ବିଭାଗ, ବିମାନ ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷା ଏଜେନ୍ସି, ସମ୍ପୃକ୍ତ ଜିଲ୍ଲାର ଏସପି ଓ ଜିଏସଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଉପରେ ନିର୍ବାଚନ ଆୟୋଗ ଜୋର ଦେଇଥିଲେ । ସବୁ ପରିବହନ ମାର୍ଗରେ ବହୁମୁଖି ଯାଞ୍ଚ ଉପରେ ସମୀକ୍ଷା ସମୟରେ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଥିଲେ । ସଡ଼କ ପରିବହନ ପାଇଁ ଚେକପୋଷ୍ଟ ଓ ନାକାରେ, ଉପକୂଳ ମାର୍ଗରେ ତଟରକ୍ଷୀ ବାହିନୀ ଦ୍ୱାରା ଏବଂ ହେଲିକପ୍ଟର ଓ ଅଣନିର୍ଦ୍ଧାରିତ ବିମାନରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ଯାଞ୍ଚ କରାଯିବା ଉପରେ ଜୋର୍ ଦିଆଯାଇଥିଲା ।
୧୩ ଏପ୍ରିଲ ୨୦୨୪ ସୁଦ୍ଧା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପିଛା ଜବତ ପରିମାଣ ସଂଲଗ୍ନକ ଏ ରେ ଦିଆଯାଇଛି ।
ଏହା କିପରି ସମ୍ଭବ ହେଲା?
ନିର୍ବାଚନ ଜବତ ପରିଚାଳନା ପ୍ରଣାଳୀ (ଇଏସଏମଏସ) ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ସମସ୍ତ ଏନଫୋର୍ସମେଣ୍ଟ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେଉଛି । ନିରୀକ୍ଷଣ ପ୍ରକ୍ରିୟାରେ ବୈଷୟିକ ଜ୍ଞାନକୌଶଳର ପ୍ରଚଳନ ସହିତ ଇସିଆଇର ଏକ ଆଭ୍ୟନ୍ତରୀଣ ବିକଶିତ ପୋର୍ଟାଲ ଇଏସଏମଏସ ଏକ ଉତପ୍ରେରକ ସାବ୍ୟସ୍ତ ହେଉଛି । ଜବରଦଖଲ ଓ ଜବତର ରିଅଲ ଟାଇମ୍ ରିପୋର୍ଟିଂ, ଜବତର ଡୁପ୍ଲିକେସନ ବା ନକଲିକରଣକୁ ଏଡ଼ାଇବା ପାଇଁ ଏହି ଅଭିନବ ଉଦ୍ଭାବନ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା।
ଏହି ପୋର୍ଟାଲ ସମସ୍ତ ନିୟନ୍ତ୍ରଣ ସ୍ତରରେ ଦ୍ରୁତ ଏବଂ ସମୟୋଚିତ ସମୀକ୍ଷା କରିବାକୁ ସକ୍ଷମ କରି କେବଳ ମାଉସ୍ କ୍ଲିକ୍ ରେ ଡିଜିଟାଲ୍ ଟ୍ରେଲ୍ ଏବଂ ଜବତ ସୂଚନା ଉପଲବ୍ଧତାର ସୁବିଧା ପ୍ରଦାନ କରେ । ତଥ୍ୟ ଅନୁଯାୟୀ, ବିଭିନ୍ନ ଏଜେନ୍ସିର ୬୩୯୮ ଜିଲ୍ଲା ନୋଡାଲ ଅଫିସର, ୭୩୪ ଜଣ ରାଜ୍ୟ ନୋଡାଲ ଅଫିସର, ୫୯୦ ଫ୍ଲାଇଂ ସ୍କ୍ୱାଡ୍ (ଏଫ୍ଏସ୍) ଏବଂ ଷ୍ଟାଟିକ୍ସ ସର୍ଭିଲାନ୍ସ ଟିମ୍ (ଏସଏସଟି)କୁ ରିୟଲ ଟାଇମ୍ ମନିଟରିଂ ଏବଂ ଅପଡେଟ୍ ପାଇଁ ଇଏସ୍ଏମ୍ଏସ୍ ପ୍ଲାଟଫର୍ମରେ ନିୟୋଜିତ କରାଯାଇଛି। ସମସ୍ତ ନୋଡାଲ ଅଧିକାରୀଙ୍କୁ ଇଏସଏମଏସ ବ୍ୟବହାର କରିବାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଛି । ୨୦୨୩ରେ ବିଧାନସଭା ନିର୍ବାଚନ ସମୟରେ ଏହି ବ୍ୟବସ୍ଥା ଦୃଢ଼ ରୂପ ନେଇଥିଲା, ଯେତେବେଳେ ୨୦୧୪.୨୬ କୋଟି ଟଙ୍କା ଜବତ ହୋଇଥିଲା, ଯାହା ପୂର୍ବ ନିର୍ବାଚନରେ ଜବତ ହୋଇଥିବା ୨୩୯.୩୫ କୋଟି ଟଙ୍କାରୁ ଯଥେଷ୍ଟ ଅଧିକ ଥିଲା। ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ସଫଳ ରୂପାୟନ ଓ କ୍ଷେତ୍ରରୁ ମତାମତ ମିଳିବା ପରେ ଚଳିତ ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମୀକ୍ଷା କରାଯାଇ ଦୃଢ଼ କରାଯାଇଛି।
2. ସତର୍କ ଏବଂ ବ୍ୟାପକ ଯୋଜନା, ସର୍ବାଧିକ ସଂଖ୍ୟକ ପ୍ରବର୍ତ୍ତନ ଏଜେନ୍ସିର ସମ୍ପୃକ୍ତି: ଏଜେନ୍ସିଗୁଡ଼ିକ ମଧ୍ୟରେ ସହଯୋଗୀ ପ୍ରୟାସ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟରୁ ସର୍ବାଧିକ ସଂଖ୍ୟକ ପ୍ରବର୍ତ୍ତନ ଏଜେନ୍ସି ଏକାଠି ହୋଇଛନ୍ତି।
3. ନିର୍ବାଚନର କିଛି ମାସ ପୂର୍ବରୁ ଏବଂ ଜାନୁଆରୀ ୨୦୨୪ରୁ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ନିର୍ବାଚନରେ ଅର୍ଥର ପ୍ରଭାବ ମୁକାବିଲା ଉପରେ ଗୁରୁତ୍ୱ ଦେଇଥିଲେ। ଏହାବ୍ୟତୀତ ଜିଲ୍ଲାଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ପ୍ରବର୍ତ୍ତନ ଏଜେନ୍ସିମୁଖ୍ୟମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ କାର୍ଯ୍ୟଦକ୍ଷତା ଆକଳନ କରିବା ଏବଂ ନିର୍ବାଚନ ସମୟରେ ଆର୍ଥିକ ସମ୍ବଳର ଅପବ୍ୟବହାର ବିରୋଧରେ ଅଧିକ ସତର୍କତାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଙ୍କ ଦ୍ୱାରା ଜାରି ରହିଥିବା ସମୀକ୍ଷାର ଅଧୀନରେ ଅଛନ୍ତି। ଅଧିକାଂଶ ସମୟରେ, ଗୋଟିଏ ଏଜେନ୍ସି ଦ୍ୱାରା କରାଯାଇଥିବା ଆବିଷ୍କାର ଅନ୍ୟମାନଙ୍କ କାର୍ଯ୍ୟକୁ ‘ସୂଚନା ଏବଂ ମାର୍ଗଦର୍ଶନ’ କରିଥାଏ, ଯାହା ଏକ ସମନ୍ୱିତ ଏବଂ ବ୍ୟାପକ ପ୍ରତିରୋଧକ ପ୍ରଭାବ ସୃଷ୍ଟି କରିଥାଏ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ବାଚନୀ ଗସ୍ତ ସମୟରେ ସଡ଼କ, ରେଳ, ସମୁଦ୍ର ଏବଂ ଆକାଶମାର୍ଗ ଭଳି ବିଭିନ୍ନ ମାଧ୍ୟମରେ ପ୍ରଲୋଭନ ଯାଞ୍ଚ କରିବାରେ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ନେଇ ଗଠିତ ମିଳିତ ଟିମ୍ ର ଗୁରୁତ୍ୱ ଉପରେ ଆୟୋଗ ଜୋର ଦେଇଛନ୍ତି। ଫଳରେ ସରକାରୀ ଘୋଷଣାର କିଛି ମାସ ପୂର୍ବରୁ ଜାନୁଆରୀ ଓ ଫେବ୍ରୁଆରି ମାସରେ ଦେଶବ୍ୟାପୀ ନଗଦ ଟଙ୍କା, ମଦ, ନିଶାଦ୍ରବ୍ୟ, ମୂଲ୍ୟବାନ ଧାତୁ ଓ ମାଗଣା ସାମଗ୍ରୀ ଆକାରରେ ମୋଟ ୭୫୦୨ କୋଟି ଟଙ୍କା ଜବତ ହୋଇଥିଲା। ଫଳରେ ନିର୍ବାଚନ ଅବଧିକୁ ଆଉ ୬ ସପ୍ତାହ ବାକି ଥିବା ବେଳେ ଏପର୍ଯ୍ୟନ୍ତ ମୋଟ ଜବତ ୧୨୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି।
4. ସମାଜରେ ନିଶା ଦ୍ରବ୍ୟ ଉପରେ ଅଧିକ ଧ୍ୟାନ: ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ଜବତ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା, ଯାହା ୨୦୨୪ ଜାନୁଆରୀ ଏବଂ ଫେବୃଆରୀରେ ସମୁଦାୟ ଜବତର ପ୍ରାୟ ୭୫% ଥିଲା । ମୁଖ୍ୟ ନିର୍ବାଚନ ଆୟୁକ୍ତର ଶ୍ରୀ ରାଜୀବ କୁମାର ନୋଡାଲ ଏଜେନ୍ସିଗୁଡ଼ିକର ଗସ୍ତ ସମୟରେ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ଜବତ କରିବାର ପ୍ରୟାସ ଉପରେ ଜୋର ଦେଇଥିଲେ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କଳା ଧନ ବ୍ୟବହୃତ ହେବାର ଆଶଙ୍କା ବ୍ୟତୀତ ନିଶା ଏକ ଗମ୍ଭୀର ସାମାଜିକ ବିପଦ ସୃଷ୍ଟି କରିଥାଏ । ଏହା ଜନସମୁଦାୟ, ବିଶେଷକରି ଯୁବବର୍ଗଙ୍କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି ବୋଲି ସେ ଆଲୋକପାତ କରିଥିଲେ। ନିଶା ଦ୍ରବ୍ୟ ଚୋରା ଚାଲାଣ ପାଇଁ ପ୍ରମୁଖ ମାର୍ଗ ଓ କରିଡର ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ପ୍ରତିରୋଧ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଆୟୋଗ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ସହଯୋଗ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଗୁଜରାଟ, ପଞ୍ଜାବ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ମିଜୋରାମ ଭଳି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ସମେତ ବିଧାନସଭା ନିର୍ବାଚନ ସମୟରେ ଉଲ୍ଲେଖନୀୟ ପରିମାଣରେ ଜବତ କରାଯାଇଛି।
5. ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଚିହ୍ନଟ: ଅଧିକ ଧ୍ୟାନ ଦେବା ପାଇଁ ୧୨୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଚିହ୍ନଟ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଗତ ନିର୍ବାଚନରେ ପ୍ରଲୋଭନ ସାମଗ୍ରୀ ବଣ୍ଟନର ଇତିହାସ ଥିଲା କିମ୍ବା ନିଶା ଦ୍ରବ୍ୟ, ନଗଦ ଟଙ୍କା ଏବଂ ମଦ କାରବାର ସହିତ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ସୀମା ଥିଲା ।
6. ବ୍ୟୟ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି:ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ବରିଷ୍ଠ ଅଧିକାରୀମାନେ ନିରପେକ୍ଷ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଆଖି ଓ କାନ ଭାବେ କାର୍ଯ୍ୟ କରନ୍ତି। ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୫୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୫ ଜଣ ନିୟୋଜିତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଦକ୍ଷତା ଏବଂ ଅଭିଜ୍ଞତାର ଚମତ୍କାର ଟ୍ରାକ୍ ରେକର୍ଡ ଥିବା ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିୟୋଜିତ କରାଯାଇଛି।
7. ସିଭିଜିଲ୍ ର ବ୍ୟବହାର: ଆୟୋଗର ସିଭିଜିଲ୍ ଆପ୍ ମଧ୍ୟ କୌଣସି ପ୍ରକାର ପ୍ରଲୋଭନ ବଣ୍ଟନ ଉପରେ ସିଧାସଳଖ ନାଗରିକଙ୍କ ଠାରୁ ଅଭିଯୋଗ ମାଧ୍ୟମରେ ବ୍ୟୟ ଅନୁଧ୍ୟାନ ପ୍ରକ୍ରିୟାକୁ ସୁଦୃଢ଼ କରିଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରଠାରୁ ନଗଦ ଟଙ୍କା, ମଦ ଓ ମାଗଣା ସାମଗ୍ରୀ ବଣ୍ଟନ ନେଇ ମୋଟ ୩୨୬୨ଟି ଅଭିଯୋଗ ଆସିଛି।
8. ନାଗରିକଙ୍କୁ କୌଣସି ଶୋଷଣ ନାହିଁ: ଚଳିତ ନିର୍ବାଚନ ଆରମ୍ଭରେ ଗ୍ରାଉଣ୍ଡ ଲେଭେଲ ଟିମ୍ ଦ୍ୱାରା ପର୍ଯ୍ୟଟକଙ୍କୁ ଅନାବଶ୍ୟକ ଯାଞ୍ଚ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଆୟୋଗ ତୁରନ୍ତ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ପର୍ଯ୍ୟଟକ ଓ ନାଗରିକଙ୍କ ଯାଞ୍ଚ ସମୟରେ ସତର୍କ ଓ ବିନମ୍ର ଆଭିମୁଖ୍ୟର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ଏଥିସହିତ ଜବତ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦୈନିକ ଶୁଣାଣି କରିବାକୁ ଆୟୋଗ ଗଠିତ ‘ଜିଲ୍ଲା ଅଭିଯୋଗ କମିଟି(ଡିଜିସି)’କୁ ନିର୍ଦ୍ଦେଶ ଦେଇଛନ୍ତି। ସିଇଓ ଏବଂ ଡିଇଓମାନଙ୍କୁ ଏହି କମିଟିଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ପଦକ୍ଷେପଗୁଡ଼ିକ ଏକ ବ୍ୟାପକ ବ୍ୟୟ ମନିଟରିଂ ପ୍ରକ୍ରିୟାର ମୂଳଦୁଆ ଭାବରେ କାର୍ଯ୍ୟ କରେ, ଯାହାଫଳରେ ଜନସାଧାରଣଙ୍କୁ ସର୍ବନିମ୍ନ ଅସୁବିଧା ସହିତ ଜବତ ବୃଦ୍ଧି ପାଇଥାଏ । ଆଗାମୀ ଦିନରେ ପ୍ରଚାର ଜୋରଦାର ହେଉଥିବାବେଳେ ଆୟୋଗ ନିଜର ପ୍ରତିଶ୍ରୁତି ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସତର୍କତା ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି।